ଗଜପତି,୧୫/୧ : ଉପାନ୍ତ ଅଞ୍ଚଳରେ ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ମୃତଦେହକୁ ମିଳୁନି ସମ୍ମାନ ବାଇକରେ ବୁହାହେଲା ମୃତଦେହ, କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା ? ଗଜପତିଜିଲ୍ଲା ଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥାର ଚିତ୍ର। ସ୍ବାସ୍ଥ୍ୟ ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି ଏହି ବାସ୍ତବ ଚିତ୍ର। ୨୦୧୬ ମସିହାରେ ଦାନ ମାଝୀ ଶବ ବୁହା ଘଟଣା ସାରା ବିଶ୍ୱରେ ଚର୍ଚାର ବିଷୟ ପାଲଟି ଥିବା ବେଳେ ସେହି ଘଟଣା ପରେ ପରେ ରାଜ୍ୟ ସରକାର ରାଜ୍ୟରେ ଆରମ୍ଭ ହୋଇଥିଲା ମହାପ୍ରୟାଣ ଯୋଜନା। ହେଲେ ଏବେ ସେହି ଯୋଜନା ବାଟବଣା ହେବାରେ ଲାଗିଛି।
ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମର ଚନ୍ଦ୍ର ଧ୍ୱଜ ସିଂ(୬୩)ଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା। ଫଳରେ ପରିବାର ଲୋକେ ନିକଟସ୍ଥ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁବାର ଦିନ ସକାଳ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୁମ୍ମା ମେଡ଼ିକାଲରେ ମହାପ୍ରୟାଣ ଗାଡ଼ି ନଥିବାରୁ ମୃତଦେହ ଗାଁକୁ ନେବା ପାଇଁ ପରିବାର ଲୋକଙ୍କୁ ଅଟୋ ରିକ୍ସାରେ ନେବା ପାଇଁ ସୁରକ୍ଷା କର୍ମୀମାନେ କହିଥିଲେ। ଅଟୋ ରିକ୍ସା ୮ ରୁ ୯ ହଜାର ଟଙ୍କା ଦାବି କରିବା ପରେ ଆର୍ଥିକ ଅଭାବ ଯୋଗୁଁ ସମ୍ପର୍କୀୟମାନେ ମୃତଦେହକୁ ନିଜ ଗାଁକୁ ବାଇକରେ ନେବା ପାଇଁ ବାଧ୍ୟ ହୋଇଥିଲେ। ତେବେ ଡ଼ଃ ଆଲୋକ କୁମାର ମୃତ୍ୟୁ ଘୋଷଣା କରିବା ପରେ ଦାୟିତ୍ୱରେ ଥିବା ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।