ମୁମ୍ବାଇ: ସେପ୍ଟେମ୍ବର ୨୫ରେ ଡ୍ରଗ୍ସ ମାମଲାରେ ଜଡିତ ଥିବା ଦୀପିକା ପାଦୁକୋନଙ୍କୁ ଏନସିବି ପଚରାଉଚରା କରିବ। ଦୀପିକା ବର୍ତ୍ତମାନ ଗୋଆରେ ଅଛନ୍ତି। ଏନସିବି ପକ୍ଷରୁ ସମନ ପାଇବା ପରେ ଦୀପିକା ଆଜି ଅପରାହ୍ନରେ ଗୋଆ ଛାଡି ମୁମ୍ବାଇ ଫେରିବେ। ଗୋଆ ବିମାନବନ୍ଦର ସିଆଇଏସ୍ଏଫ୍ ଅନୁଯାୟୀ, ଦୀପିକା ଆଜି ଦିନ ୧୨ଟା ୩୦ମିନିଟରେ ଗୋଆ ଛାଡିବେ। ଏ ନେଇ ସିଆଇଏସ୍ଏଫ୍ କୁ ସତର୍କ କରାଯାଇଛି। ଚାର୍ଟାର୍ଡ ବିମାନରେ ଦୀପିକା ମୁମ୍ବାଇକୁ ଉଡ଼ାଣ କରିବେ ବୋଲି ଜଣା ପଡ଼ିଛି। ଏହା ସହ ଆଜି ଏନସିବି ପକ୍ଷରୁ ରାକୁଲ ପ୍ରୀତ ସିଂହ ଏବଂ ସିମୋନ ଖମ୍ବାଟାଙ୍କୁ ପଚରାଉଚରା ପାଇଁ ଡ଼କାଯାଇଛି।
ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନଙ୍କ ନାମ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଦୀପିକାଙ୍କୁ ଟ୍ରୋଲ କରାଯାଉଛି। ତାଙ୍କ ମ୍ୟାନେଜର କରିସ୍ମାଙ୍କ ସହ ତାଙ୍କର ଚାଟ୍ ଭାଇରାଲ ହେବା ପରେ ସେ ଡ୍ରଗ୍ସ ନେଉଥିବା ସାମ୍ନାକୁ ଆସିଥିଲା। ଏନସିବି ହାତରେ ପ୍ରମାଣ ଲାଗିବା ପରେ ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂହ, ସାରା ଅଲି ଖାନ୍ ଏବଂ ଦୀପିକାଙ୍କୁ ଜେରା ପାଇଁ ସମନ ପଠାଇଛି ଏନସିବି। ୩ଦିନ ମଧ୍ୟରେ ସମସ୍ତ ଅଭିନେତ୍ରୀଙ୍କୁ ପଚରାଉଚରା କାମ ଶେଷ କରିବ ଏନସିବି।