ମୁମ୍ବାଇ,୨୭/୩: ଆଇପିଏଲରେ ପ୍ରଥମ ପରାଜୟ ଭୋଗିଛି ମୁମ୍ବାଇ ଇଣ୍ଡିଆନ୍ସ। ଲଳିତ ଯାଦବ ଏବଂ ଅକ୍ଷର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇ ହାତରୁ ମ୍ୟାଚ୍ ଛଡାଇ ନେଇଛନ୍ତି। ଦୁଇ ବ୍ୟାଟସମ୍ୟାନଙ୍କ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଦମଦାର ବିଜୟ ହାସଲ କରିଛି। ଏଥିସହ ଦଳ ବିଜୟରୁ ହିଁ ନିଜର ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଷନଙ୍କ ଅପରାଜିତ ୮୧ ଏବଂ ରୋହିତ ଶର୍ମାଙ୍କ ୪୧ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୭୭ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଲଳିତ ଯାଦବଙ୍କ ଅପରାଜିତ ୪୮ ଏବଂ ଅକ୍ଷର ପଟେଲଙ୍କ ବିସ୍ଫୋରକ ୧୭ ବଲରୁ ୩୮ ରନ ବଳରେ ୧୮.୨ ଓଭରରେ ୬ ଓ୍ଵିକେଟ୍ ହରାଇ ଚମତ୍କାର ବିଜୟ ହାସଲ କରିଛି। ଲଳିତ ଏବଂ ଅକ୍ଷର ଅବିଭାଜିତ ସପ୍ତମ ଓ୍ଵିକେଟ୍ରେ ୭୫ ରନ ଯୋଡି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
୧୭୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ ପକ୍ଷରୁ ଓପନର ଟିମ୍ ସେଇଫର୍ଟ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲେ। ସେଇଫର୍ଟ ୧୪ ବଲ୍ରୁ ୨୧ ରନ କରି ଆଉଟ୍ ହୋଇଥିଲେ। ଦିଲ୍ଲୀ ୩୦ ରନରୁ ୩୨ ରନ ଭିତରେ ୩ ଓ୍ଵିକେଟ୍ ହରାଇ ବିପର୍ଯ୍ୟୟ ଭୋଗିଥିଲା। ମନ୍ଦୀପ ସିଂହ(୦) ଏବଂ ଅଧିନାୟକ ପନ୍ତ(୧) ଆଉଟ୍ ହୋଇଥିଲେ। ମୁରୁଗାଓଁ ଅଶ୍ଵିନ ୨ଟି ଓ୍ଵିକେଟ୍ ନେଇ ମୁମ୍ବାଇକୁ ସଫଳତା ଦେଇଥିଲେ। ଏହା ପରେ କ୍ରିଜରେ ଜମି ରହିଥିବା ପୃଥ୍ଵୀ ଶୋ ୨୪ ବଲ୍ରୁ ୪ ଚୌକା ଓ ୨ ଛକା ସହ ୩୮ ରନ କରି ବିଦାୟ ନେଇଥିଲେ। ରୋଭମାନ ପାଓ୍ଵେଲ(୦)ଙ୍କ ପରେ ଶାର୍ଦ୍ଦୁଳ ଠାକୁର ଦ୍ରୁତ ୨୨ ରନ କରି ଆଉଟ୍ ହୋଇଥିଲେ।
୧୦୪ ରନରେ ୬ ଓ୍ଵିକେଟ୍ ହରାଇ ପରାଜୟ ଅଭିମୁଖେ ଗତି କରୁଥିବା ଦିଲ୍ଲୀର ଇନିଂସକୁ ଲଳିତ ଯାଦବ ଏବଂ ଅକ୍ଷର ପଟେଲ ସମ୍ଭାଳିଥିଲେ। ଅକ୍ଷର ପଟେଲ୍ ଧୂଆଁଧାର ବ୍ୟାଟିଂ କରି ମୁମ୍ବାଇ ହାତରୁ ବିଜୟ ଛଡାଇ ଆଣିଥିଲେ। ଲଳିତ ୪୮ ରନର ଉପଯୋଗୀ ଇନିଂସ ଖେଳି ଅକ୍ଷରଙ୍କ ସହ ଅବିଭାଜିତ ସପ୍ତମ ଓ୍ଵିକେଟ୍ରେ ୭୫ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ଅକ୍ଷର ୧୭ ବଲ୍ରୁ ୨ ଚୌକା ଏବଂ ୩ ଛକା ସହ ୩୮ ରନ କରି ଅପରାଜିତ ଥିଲେ।