ଚେନ୍ନାଇ, ୧୦/୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୪ଶ ସଂସ୍କରଣର ଦ୍ଵିତୀୟ ମ୍ୟାଚ୍ରେ ପୃଥ୍ଵୀ ସ ଓ ଶିଖର ଧାଓ୍ଵନଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡିଲା ସୁରେଶ ରୈନାଙ୍କ ଅର୍ଦ୍ଧଶତକ। ଚେନ୍ନାଇ ସୁପରକିଙ୍ଗ୍ସକୁ ସହଜରେ ୭ ଓ୍ଵିକେଟ୍ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁରୈଶ ରୈନା(୫୪), ସାମ କରନ(୩୪) ଓ ମୋଇନ ଅଲ୍ଲୀ(୩୬) ଜରିଆରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଜବାବରେ ଶିଖର ଧାଓ୍ଵନଙ୍କ ୮୪ ଓ ପୃଥ୍ଵୀ ସଙ୍କ ୭୨ ରନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୩ ଓ୍ଵିକେଟ୍ ହରାଇ ୧୮. ୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସ ଓ ଧାଓ୍ଵନ ପ୍ରଥମ ଓ୍ଵିକେଟ୍ରେ ୧୩୮ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି।
୧୮୯ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଦୁଇ ଓପନର ପୃଥ୍ଵୀ ସ ଓ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଓଭର ପିଛା ୧୦ ହାରରେ ରନ ସଂଗ୍ରହ କରିଥିଲେ। ଶିଖର ଓ ସ ଚେନ୍ନାଇ ବୋଲରଙ୍କୁ ନିର୍ଘାତ ପ୍ରହାର କରି କୌଣସି ସୁଯୋଗ ଦେଇନଥିଲେ। ଉଭୟଙ୍କୁ ଆଉଟ୍ କରିବାକୁ ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସବୁ ଯୋଜନା ଫେଲ୍ ମାରିଥିଲା। ପୃଥ୍ଵୀ ଧୂଆଁଧାର ବ୍ୟାଟିଂ କରି ୨୭ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଶିଖର ମଧ୍ୟ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଯୋଡିକୁ ଭାଙ୍ଗିବାକୁ ଚେନ୍ନାଇକୁ ନାକେଦମ ହେବାକୁ ପଡିଥିଲା। ଶେଷରେ ୧୩.୩ ଓଭରରେ ଡ୍ଵେନ ବ୍ରାଭୋଙ୍କୁ ବଡ ସଟ୍ ଖେଳିବାକୁ ଯାଇ ପୃଥ୍ଵୀ ସ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସ ଓ ଧାଓ୍ଵନ ପ୍ରଥମ ଓଭରରେ ୧୩୮ ରନ ଯୋଡି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ସେ ୩୮ ବଲ୍ରୁ ୯ଚୌକା ଓ ୩ ଛକା ଜରିଆରେ ୭୨ ରନର ଦମଦାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ।