ନୂଆଦିଲ୍ଲୀ, ୧୯/୦୧ : ଦିଲ୍ଲୀ ହାଇକୋର୍ଟରୁ ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସେନଗରଙ୍କୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ହାଇକୋର୍ଟ ଉନ୍ନାଓ ହାଜତ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ କୁଲଦୀପଙ୍କୁ ନିବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ମାମଲାର ଜଟିଳତା ଓ ଅପରାଧର ପ୍ରକୃତିକୁ ନଜରରେ ରଖି ଦଣ୍ଡ ଉପରେ ରୋକ ଲଗାଇବାର କୌଣସି ଆଧାର ନାହିଁ । କୁଲଦୀପ ଲୋୟର କୋର୍ଟର ଦଣ୍ଡକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଜାମିନ ନିବେଦନ ମଧ୍ୟ କରିଥିଲେ । ଯାହାକୁ କୋର୍ଟ ମନା କରିଦେଇଛନ୍ତି । ଏହି ଯାଚିକାରେ ଜଷ୍ଟିସ ରବିନ୍ଦର ଡୁଡେଜା ଶୁଣାଣି କରି କହିଥିଲେ କି, ହାଜତ ମ୍ତ୍ୟୁ ମାମଲାରେ କୁଲଦୀପ ସେନଗରଙ୍କୁ ୧୦ ବର୍ଷୀ ଦଣ୍ଡାଦେଶ ମିଳିଛି । ଉନ୍ନାଓ ଜିଲ୍ଲାରେ ୨୦୧୭ ମସିହାରେ ହୋଇଥିବା ହାଜତ ହତ୍ୟା ମାମଲା ସହ ସମ୍ପୃକ୍ତ । ପୀଡ଼ିତକୁ ପୋଲିସ ହାଜତରେ ନିର୍ମମ ମାଡ଼ ମରାଯାଇଥିଲା, ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମାମଲାର ଯାଞ୍ଚରେ ଏହି ପୁରା ଘଟଣାକ୍ରମରେ କୂଲଦୀପ ସିଂହ ସେନଗରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଓ ବିଧାୟକ ଭାବେ ନିଜ ପ୍ରଭାବର ଦୂରୁପଯୋଗ କରିଥିବା ଜଣାପଡିଥିଲା । ମାମଲାର ତଦନ୍ତ ପୁରା ହେବା ପରେ ସ୍ୱତନ୍ତ୍ର ନ୍ୟାୟାଳୟ ସେଙ୍ଗରକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ କରିଥିଲେ । ୨୦୨୦ରେ କୁଲଦୀପଙ୍କୁ ୧୦ ବର୍ଷର ଜେଲ ଦଣ୍ଡାଦେଶ ସହିତ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଯାଇଥିଲା । ତେବେ ଏହି ମାମଲାରେ ସେନଗରଙ୍କ ଭାଇ ଅତୁଲ ସିଂ ଏବଂ ୫ ଜଣ ଅନ୍ୟ ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ।