ଦିଲ୍ଲୀ ହିଂସା ଘଟଣା : UAPA ଅଧୀନରେ ପୂର୍ବତନ ଜେଏନୟୁ ଛାତ୍ର ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ, ୧୪/୯ : ଚଳିତ ବର୍ଷ ଫେବୃୟାରୀରେ ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ ଆଉ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ହିଂସାରେ କଥିତ ଭୂମିକା ତୁଲାଇଥିବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତି ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଗିରଫ କରିଛି ପୁଲିସ। ସୂତ୍ର ଅନୁସାରେ ରବିବାର ଅଭିଯୁକ୍ତକୁ ଏକାଧିକ ଆଇନ ବଳରେ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ ଖଲିଦକୁ ଦୀର୍ଘ ୧୧ ଘଣ୍ଟା ଯାଏଁ ପଚରାଉଚରା କରିବା ପରେ ଗିରଫ କରିଛି । ଖାଲିଦକୁ ଆଜି କୋର୍ଟରେ ହାଜର କରାଯିବ ।

ଦିଲ୍ଲୀ ହିଂସା ଘଟଣାରେ ଦିଲ୍ଲୀ ପୋଲିସର ଅପରାଧା ଶାଖା ଗତ ସେପ୍ଟେମ୍ବର ୨ରେ ଉମରକୁ କିଛି ଘଣ୍ଟା ପାଇଁ ପଚରାଉଚରା କରିଥିଲା । ଏହି ପଚରାଉଚରା ସମୟରେ ହିଂସା ମାମଲାରେ ଉମରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ମଧ୍ୟ ହିଂସା ପଛରେ କଥିତ ଷଡ଼ଯନ୍ତ୍ର ମାମଲାରେ ଉମରଙ୍କୁ ପଚରାଉଚରା କରିଥିଲା । ପୋଲିସ ତାର ମୋବାଇଲ ଫୋନ ମଧ୍ୟ ଜବତ କରିଥିଲା ।

ଉମର ଖଲିଦ ସର୍ବ ପ୍ରଥମେ ୨୦୧୬ରେ ଜେଏନୟୁରେ ହୋଇଥିବା କଥିତ ଦେଶଦ୍ରୋହୀ ସ୍ଲୋଗାନ ଦେଇ ଚର୍ଚ୍ଚାକୁ ଆସିଥିଲା । ଏହି ମାମଲାରେ ପୋଲିସ ତାକୁ ଗିରଫ କରିଥିଲା । ସେ ଜେଏନୟୁର ପୂର୍ବତନ ଛାତ୍ର ସଂଘ ସଭାପତି କହ୍ନେୟା କୁମାରଙ୍କ ସହିତ ଦେଶଦ୍ରୋହ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ସଂପୃକ୍ତ ଥିଲା ।

ସୂଚନାଯୋଗ୍ୟ, ସଂଶୋଧିତ ନାଗରିକତା ଆଇନ (ସିଏଏ)ର ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଗତ ଫେବୃୟାରୀ ୨୪ରେ ଉତ୍ତର-ପୂର୍ବ ଦିଲ୍ଲୀରେ ସାଂପ୍ରଦାୟିକ ହିଂସା ଉପୁଜିଥିଲା । ଏଥିରେ ଅତିକମରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ । ଏହି ହିଂସା ଘଟଣା ସହିତ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି ।