ଡେଲିଭରି ବୟ କହି ଘରେ ପଶିଲେ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନାଗହଣା

ବାରିପଦା,୨୩/୩ : ଡେଲିଭରି ବୟ କହି ଘରେ ପଶିଲେ। ମୁଣ୍ଡରେ ବନ୍ଧୁକ ରଖି ଆଖି ପିଛୁଳାକେ ସୁନା, ଅଳଙ୍କାର ସବୁ ଲୁଟି ନେଇ ବାଇକ୍‌ରେ ଫେରାର ହୋଇଗଲେ। ଏପରି ଅଭିନବ ଉପାୟରେ ଲୁଟ୍‌ ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଜଣକ ହେଲେ ପ୍ରିୟଙ୍କା ଦାସ ।

ଗତକାଲି ସନ୍ଧ୍ୟାରେ ପ୍ରିୟଙ୍କା ଦାସ ଘରେ ଏକୁଟିଆ ଥିଲେ। ସେ ନିଜ ପୁଅ ସହ ଫୋନରେ କଥା ହେଉଥିବା ବେଳେ ଘରର କଲିଂବେଲ ବାଜିଥିଲା। କିଏ ବୋଲି ପଚାରିବାରୁ ଡେଲିଭରି ଆସିଛି, କବାଟ ଖୋଲନ୍ତୁ ବୋଲି ଅପରପାର୍ଶ୍ୱରୁ ଯୁବକଜଣକ କହିଥିଲେ । ଏହାଶୁଣି ପ୍ରିୟଙ୍କା ହଠାତ କବାଟ ଖୋଲି ଦେବାରୁ ଜଣେ ଯୁବକ ଘର ଭିତରକୁ ଧସେ ପଶିଥିଲେ। ସେ ମୁହଁରେ ରୁମାଲ ବାନ୍ଧିଥିବା ବେଳେ ହାତରେ ବନ୍ଧୁକ ଥିଲା।

ଯୁବକଜଣକ ପ୍ରିୟଙ୍କାଙ୍କ ମୁଣ୍ଡରେ ବନ୍ଧୁକ ରଖି ଘରେ ଯାହା ଅଛି ଦେଇଦେବାକୁ ଧମକ ଦେଇଥିଲେ। ଏହାପରେ ପ୍ରିୟଙ୍କା ପିନ୍ଧିଥିବା ମଙ୍ଗଳସୂତ୍ର, କାନଫୁଲ ଓ ୪ଟି ମୁଦି ଛଡ଼ାଇ ନେଇ ଯାଇଥିଲେ। ଏହାପରେ ଯୁବକଜଣକ ଘରୁ ବାହାରି ଯାଇ ଏକ କଳା ରଙ୍ଗର ବାଇକ୍‌ରେ ଫେରାର ହୋଇଯାଇଥିଲେ। ଉକ୍ତ ବାଇକ୍‌ରେ ଆଉ ଜଣେ ଯୁବକ ଥିବା ପ୍ରିୟଙ୍କା ପୁଲିସ୍‌ ନିକଟରେ ପ୍ରକାଶ କରିଛନ୍ତି।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସୁରାକ ପାଇପାରିନି। ଲୁଟେରାଙ୍କ ମୁହଁ ଚିହ୍ନି ନ ଥିବା ବେଳେ ଶବ୍ଦ ଶୁଣି ତାଙ୍କୁ ଜାଣି ପାରିବେ ବୋଲି ପ୍ରିୟଙ୍କା ପୁଲିସ୍‌ ନିକଟରେ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ପ୍ରିୟଙ୍କା ଭୟଭୀତ ହୋଇ ପଡ଼ିଛନ୍ତି। ଲୁଟ୍‌ ହୋଇଥିବା ଅଳଙ୍କାରର ମୂଲ୍ୟ ଲକ୍ଷାଧୀକ ଟଙ୍କା ହେବ ବୋଲି ଜଣାଯାଇଛି। ଏ ନେଇ ବାରିପଦା ସହରରେ ଆତଙ୍କ ଖେଳିଯାଇଛି।