ଅହମଦାବାଦ୍ : ଥରେ କରୋନା ସଂକ୍ରମିତ ହେଲେ ଦ୍ବିତୀୟ ଥର ସଂକ୍ରମଣର ଶିକାର ହେବା ସମ୍ଭାବନା ବହୁତ କମ୍। ସଂକ୍ରମଣର ଶିକାର ହେବାର କିଛି ଦିନ ପରେ ଶରୀରରେ ଏଣ୍ଟିବଡି ବିକଶିତ ହେଉଛି ଏବଂ ରୋଗ ପ୍ରତିରୋଧକତା ଆସୁଛି। କିନ୍ତୁ କରୋନାର ରୂପାନ୍ତରିତ ପ୍ରଜାତି ଡେଲ୍ଟା ରୋଗପ୍ରତିରୋଧକତାକୁ ଫାଙ୍କି ଦେଉଥିବାରୁ ବିଶ୍ବବ୍ୟାପୀ ବିପଦ ବଢ଼ିବାରେ ଲାଗିଛି। ଭାରତରେ ଦ୍ବିତୀୟ ଲହରରେ ଡେଲ୍ଟାର ଆତଙ୍କ ଜାରି ରହିଥିବା ବେଳେ ପୁନଃ ସଂକ୍ରମଣ ମାମଲା ବଢ଼ିଛି।
ଅହମଦାବାଦ୍ର ମୁଖ୍ୟ ଅଗ୍ନିଶମ ଅଧିକାରୀ ରାଜେଶ ଭଟ୍ଟଙ୍କ ମାମଲାକୁ ଏକ ଉଦାହରଣ ଭାବେ ନିଆଯାଇ ପାରେ। ରାଜେଶ କରୋନା ସଂକ୍ରମିତ ହେବାର ମାତ୍ର ୩୦ ଦିନ ପରେ ପୁଣି ସଂକ୍ରମିତ ହୋଇଥିଲେ। ସେ ଦ୍ବିତୀୟ ଥର ସଂକ୍ରମିତ ହେବା ସମୟରେ ତାଙ୍କୁ ୧୩ ଦିନ ହସ୍ପିଟାଲ୍ରେ ରହିବାକୁ ପଡ଼ିଥିଲା। କିନ୍ତୁ ପ୍ରଥମ ସଂକ୍ରମଣରେ ସେ ହୋମ୍ କ୍ବାରାଣ୍ଟିନ୍ରେ ରହି ସୁସ୍ଥ ହୋଇଥିଲେ। ପୁନଃସଂକ୍ରମଣକୁ ରିପୋର୍ଟ କରାଯାଉନଥିଲେ ମଧ୍ୟ ଜିବିଆର୍ସି (ଗୁଜରାଟ ବାୟୋଟେକନୋଲୋଜି ରିସର୍ଚ୍ଚ୍ ସେଣ୍ଟର୍) ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, କେତେକ କ୍ଷେତ୍ରରେ କୋଭିଡ୍ ଏଣ୍ଟିବଡି କାମ ଦେଉନି। ରୂପାନ୍ତରିତ ପ୍ରଜାତି ଡେଲ୍ଟାର ମୁକାବିଲା ପାଇଁ ଭାରତରେ ଏବେ ଉପଲବ୍ଧ କୋଭାକ୍ସିନ ଓ କୋଭିସିଲ୍ଡ ଟିକା କେତେ ଫଳପ୍ରଦ ସେ ନେଇ ଅଧିକ ଗବେଷଣା ଜାରି ରହିଛି। ଆମେରିକାରେ ମଧ୍ୟ ଏବେ ଡେଲ୍ଟା ପ୍ରଜାତି କ୍ଷୀପ୍ର ସଂକ୍ରମଣ ଘଟାଉଛି।