୧୧୧ ରାଷ୍ଟ୍ରରେ ଡେଲ୍‌ଟା ସଂକ୍ରମଣ

ଜେନେଭା : କରୋନାର ଡେଲ୍‌ଟା ପ୍ରଜାତି ପାଇଁ ସଂକ୍ରମଣ ଅତି କ୍ଷୀପ୍ର ଗତିରେ ବଢ଼ିଚାଲିଛି। ଏଥିପାଇଁ ଚିକିତ୍ସା ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟସେବା ଉପରେ ପ୍ରବଳ ଚାପ ବଢ଼ିବ। ବିଶେଷ କରି କମ୍‌ ଟିକାକରଣ ହୋଇଥିବା ସ୍ଥାନମାନଙ୍କରେ ଅତି ବିପଜ୍ଜନକ ସ୍ଥିତି ଉପୁଯିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛନ୍ତି। ଡେଲ୍‌ଟା ପାଇଁ ସମଗ୍ର ବିଶ୍ବରେ ସଂକ୍ରମଣ ବଢ଼ିଥିବା ଦେଖିବାକୁ ମିଳିଛି। ଜୁଲାଇ ୧୩ ସୁଦ୍ଧା ୧୧୧ ରାଷ୍ଟ୍ରରେ ଡେଲ୍‌ଟା ପ୍ରଜାତି ଚିହ୍ନଟ ହୋଇଛି। ଆଗକୁ ଏହା ଅଧିକରୁ ଅଧିକ ରାଷ୍ଟ୍ରକୁ ବ୍ୟାପିବ ଏବଂ ବିଶ୍ବରେ କରୋନାର ଏକ ପ୍ରମୁଖ ପ୍ରଜାତି ହେବ। ଏହି କାରଣ ପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ବ୍ୟାପକ ପ୍ରଭାବ ପଡ଼ିବ।

ଉଲ୍ଲେଖଯୋଗ୍ୟ , ବିଶ୍ବରେ ଏବେ ୧୭୮ ରାଷ୍ଟ୍ରରେ ଆଲ୍‌ଫା ପ୍ରଜାତି ଚିହ୍ନଟ ହୋଇଛି। ତେବେ ୧୨୮ ରାଷ୍ଟ୍ର‌ରେ ବିଟା ଏବଂ ୭୫ ରାଷ୍ଟ୍ରରେ ଗାମ୍ମା ପ୍ରଜାତି ରିପୋର୍ଟ କରାଯାଇଛି। ତଥ୍ୟ ଅନୁଯାୟୀ ଅନ୍ୟ ସଂକ୍ରାମକ ପ୍ରଜାତି ତୁଳନାରେ ଡେଲ୍‌ଟା ଅଧିକ ସଂକ୍ରାମକ। ତେଣୁ ଡେଲ୍‌ଟା ପାଇଁ ଚିନ୍ତା ବଢ଼ୁଛି। ଟିକାକରଣ ପ୍ରକ୍ରିୟାରେ ଅଗ୍ରଗତି ହେଉନଥିବାରୁ ଏହା ଅଧିକ ଚିନ୍ତାଜନକ ହୋଇଛି। ବିଶ୍ବ ଜନସଂଖ୍ୟାର ମାତ୍ର ୨୪.୭ ପ୍ରତିଶତ ତଥା ୩ ବିଲିୟନ୍‌ରୁ ଅଧିକ ଲୋକ କେବଳ ପ୍ରଥମ ଡୋଜ୍‌ ନେଇଛନ୍ତି। ତେବେ ଟିକା ବଣ୍ଟନ ଏବଂ ଟିକାକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି।

ବିଶ୍ବବ୍ୟାପୀ ଏବେ ସଂକ୍ରମଣ ବଢ଼ିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ବିଶ୍ବ ସଂକ୍ରମଣ ଯଥେଷ୍ଟ ବଢ଼ିଯାଇଛି। ବିଶ୍ବ‌ରେ ମୋଟ୍‌ ୧୮୬ ନିୟୁତ ସଂକ୍ରମିତ ହୋଇଥିବାବେଳେ ୪୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବ୍ରିଟେନ୍‌ ଏବଂ ଆମେରିକାରେ ଏବେ ଡେଲ୍‌ଟା ପ୍ରଜାତି ଦ୍ବାରା କ୍ଷୀପ୍ର ସଂକ୍ରମଣ ଚିନ୍ତା ବଢ଼ାଇଛି। କେବଳ ଏହି ପ୍ରଜାତି ପାଇଁ ୨୦ରୁ ଅଧିକ ରାଷ୍ଟ୍ରରେ ଖୁବ୍‌ଶୀଘ୍ର କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଯିବା ଆଶଙ୍କା କରାଯାଉଛି।