ଦେଓଘର,୧୭/୯ : ଝାରଖଣ୍ଡର ଦେଓଘର ପ୍ରସିଦ୍ଧ ତୀର୍ଥସ୍ଥଳୀ ସହ ଅନେକ ମନୋରମ ପର୍ଯ୍ୟଟନ ସ୍ଥଳୀ ପାଇଁ ପ୍ରସିଦ୍ଧ । ଦେଓଘର ସ୍ଥିତ ପବିତ୍ର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବାବା ବୈଦ୍ୟନାଥ ଦର୍ଶନ ପାଇଁ ଲୋକେ ଦେଶ-ବିଦେଶରୁ ଲୋକେ ସହଜରେ ବିମାନ ମାର୍ଗ ଦେଇ ପହଞ୍ଚି ପାରିବେ । ଏଠାକାର ମନୋରମ ପର୍ଯ୍ୟଟନ ସ୍ଥଳ ପରିଭ୍ରମଣ ପାଇଁ ଲୋକେ ସହଜରେ ଏଠାରେ ପହଞ୍ଚି ପାରିବେ ।
ଝାରଖଣ୍ଡ ଲୋକଙ୍କ କହିବା ଅନୁସାରେ ବିମାନ ଯାତ୍ରା ସୁବିଧା ନ ଥିବାରୁ ଅନେକ ଲୋକ ଇଚ୍ଛା ଥିବା ସତ୍ତ୍ୱେ ଧର୍ମନଗରୀ ଯାତ୍ରା କରିପାରିନଥାନ୍ତି । ବିମାନ ମାର୍ଗ ସଂଯୋଜିତ ହେବାପରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ସହଜରେ ଏଠାରେ ପହଞ୍ଚି ପାରିବେ । ଦୁନିଆର ବଡ ବଡ ସହର ସହ ବିମାନ ମାର୍ଗ ସଂଯୋଜିତ ହେବାପରେ ପ୍ରତିଭାଶାଳୀ ଛାତ୍ରଛାତ୍ରୀ ମଧ୍ୟ ବିନା ସମସ୍ୟାରେ ଏଠାକୁ ଆସିପାରିବେ ।

ସ୍ଥାନୀୟ ଚାମ୍ବର୍ ପ୍ରତିନିଧି ମଧ୍ୟ କାମର୍ସିୟାଲ୍ ଉଡାଣ ଆରମ୍ଭ ହେବା ଘୋଷଣା ପରେ ବହୁତ ଖୁସି ଅଛନ୍ତି । ସେମାନଙ୍କ ଅନୁସାରେ ପ୍ରତିସ୍ପର୍ଦ୍ଧା ସହ ନୂଆ ଉଦ୍ୟୋଗ ଓ ଅନ୍ୟାନ୍ୟ ବ୍ୟବସାୟିକ କାରବାର ମଧ୍ୟ ବୃଦ୍ଧି ପାଇବ । ଚିକିତ୍ସା କ୍ଷେତ୍ରରେ ମଧ୍ୟ ସୁବିଧା ମିଳିବା ନେଇ ଆଶା କରାଯାଉଛି ।
୬୫୪ ଏକର ଜମିରେ ବିମାନବନ୍ଦର ନିର୍ମାଣ ପାଇଁ ପାଖାପାଖି ୪୦୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ଟର୍ମିନାଲ୍ ୪ ହଜାର ବର୍ଗ ମିଟର କ୍ଷେତ୍ରରେ ତିଆରି ହେଉଛି । ୨୫୦୦ ମିଟର ଲମ୍ବ ରନୱେ ସହ ଏହି ଏୟାରପୋର୍ଟ ଏୟାରବସ୍ ୩୨୦ ଆଦି ବିମାନ ପାଇଁ ଉପଯୁକ୍ତ ହେବ । ଟର୍ମିନାଲ୍ ବିଲଡିଂରେ ୬ଟି ଚେକ୍ ଇନ୍ କାଉଣ୍ଟର୍ ହେବ, ୨ଟି ଆଗମନ ପଏଣ୍ଟ୍ ଓ ଭିଡ ସ୍ଥିତିରେ ଏଠାରେ ୨୦୦ ଯାତ୍ରୀଙ୍କୁ ସମ୍ଭାଳିବା କ୍ଷମତା ରହିବ । ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ, DRDO ଓ ଝାରଖଣ୍ଡ ସରକାରଙ୍କ ସହଯୋଗରେ ଦେଓଘର ବିମାନବନ୍ଦର ନିର୍ମାଣ କରାଯାଉଛି ।