କଟକ : ଓଡ଼ିଶାର କଳା, ସଂସ୍କୃତି, ଏତିହ୍ୟ ଓ ପରମ୍ପରା ଅନନ୍ୟ । ଏଠାରେ ବାର ମାସରେ ତେର ପର୍ବ ପାଳନ ହେଉଥିବା ବେଳେ ସେଥିମଧ୍ୟରୁ ଧର୍ମମାସ କାର୍ତ୍ତିକର ମହାତ୍ମ୍ୟ ଢ଼େର୍ ଅଧିକ । ଏହି ମାସରେ ସମସ୍ତେ ପୂଣ୍ୟ ଅର୍ଜିବାକୁ ପାହାନ୍ତା ପ୍ରହରରୁ ମହାଦେବଙ୍କୁ ଦର୍ଶନ କରିଥାନ୍ତି । କାର୍ତ୍ତିକ ମାସରେ ବ୍ରତ ପାଳନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ହିନ୍ଦୁ ମାନଙ୍କର ବିଶ୍ୱାସ ରହିଛି । ଏଥିପାଇଁ କଟକ ଓ ଭୁବନେଶ୍ୱରର ସମତେ ରାଜ୍ୟର ବିଭିନ୍ନ ମନ୍ଦିରରେ ହବିଷ୍ୟାଳିମାନଙ୍କ ଭିଡ ଜମିଛି । ଏହି ଅବସରରେ ଟ୍ୱିନସିଟିର ବିଭିନ୍ନ ମଠ ମନ୍ଦିରରେ ହବିଷ୍ୟାଳିମାନେ ଭିଡ଼ ଜମାଇଛନ୍ତି ।
ତେବେ ଚଳିତଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଭକ୍ତମାନେ ନିରାଶ ବ୍ୟକ୍ତ କରିଛନ୍ତି । ଏପରିକି ଏହି ପୂର୍ଣ୍ଣିମାରେ ଡଙ୍ଗଭସା କାର୍ଯ୍ୟ କିପରି ହେବ ତାହାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଆ-କା-ମା-ବୈ ପରମ୍ପରା ବହୁ ପୁରାତନ ହୋଇଥିବାବେଳେ ଏହିଦିନ ସାଧବ ପୁଅମାନେ ଜାଭା, ସୁମାତ୍ରା ଯାତ୍ରା କରି ବାଣିଜ୍ୟ ବ୍ୟବସାୟ କରିବା ସହ ଓଡ଼ିଶାକୁ ଧନସଂପତ୍ତି ଆଣନ୍ତି । ତେଣୁ ଏହି ଦିନରେ ପ୍ରତ୍ୟେକ ଓଡ଼ିଆ ପାଖ ନଦୀ, ପୁଷ୍କରିଣୀ ଓ ନାଳରେ ଡଙ୍ଗା ଭସାଇଥାନ୍ତି । କାର୍ତ୍ତିକ ମାସର ଅନ୍ୟ ଏକ ପରମ୍ପରା ହେଉଛି ଦୀପ ଦାନ । ଏହା ଏକ ଧର୍ମମାସ ହୋଇଥିବାରୁ ଦୀପଦାନ କଲେ ଅଶେଷ ପୂଣ୍ୟ ହେବାର ପରମ୍ପରା ରହିଛି । ଏଣୁ ଓଡ଼ିଆରେ ଗୋଟେ ପ୍ରବାଦ ଅଛି ‘ରସିକ ବିଚାର କରେ ଦୀପଦାନ କାର୍ତ୍ତିକରେ’ ।
ଏହି ପରମ୍ପରା ଆଜିବି ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ସଞ୍ଚରିତ ହେଉଛି । କାର୍ତ୍ତିକ ମାସ ଆସିଲେ ଅଧିକାଂଶ ଲୋକ ଆମିଷ ବର୍ଜନ କରିବା ସହ ପରମ୍ପରା ଅନୁଯାୟୀ ତୁଳସୀ ଚଉରା ମୂଳେ ମୂରୁଜ ବୁଣି ଦୀପଦାନ କରି ଭୋଗ ଲଗାଇଥାନ୍ତି । ଏପରିକି ବୟସ୍କ ମହିଳାମାନେ କାର୍ତ୍ତିକ ମହାତ୍ମ୍ୟ ନିଜେ ପାଠ କରିଥାନ୍ତି ଅଥବା ବ୍ରାହ୍ମଣଙ୍କୁ ଡାକି ଏହି କାର୍ତ୍ତିକ ମହାତ୍ମ୍ୟ ସମ୍ପର୍କରେ ଶୁଣିଥାନ୍ତି । କାର୍ତ୍ତିକ ପୂର୍ଣ୍ଣମୀରେ ଶୁଦ୍ଧପୁତ୍ତ ଚିତ୍ତରେ ଲୋକେ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସହ ପୂଣ୍ୟ ଅର୍ଜିଥାନ୍ତି । ତେବେ ଏଥର ଚନ୍ଦ୍ରଗ୍ରହଣ ଏହି ପରମ୍ପରାରେ ଯଦିଓ କିଛିଟା ବ୍ୟାଘାତ ସୃଷ୍ଟି କରିବ ତଥାପି ଟ୍ୱିନସିଟିବାସୀ କିନ୍ତୁ କାର୍ତ୍ତିକ ପୂର୍ଣ୍ଣମୀକୁ ନେଇ ବହୁ ଉତ୍ସାହିତ ଅଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।
