ମୁଁ ସିଂହ ଭଳି ରାଜନୀତିରେ ଯୋଗ ଦେବି : ଡିଜିପି ଗୁପ୍ତେଶ୍ବର ପାଣ୍ଡେ

ନୂଆଦିଲ୍ଲୀ,୨୪/୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଥିଲେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ। ରିୟାଙ୍କ ବିରୋଧରେ ବୟାନ ଦେବା ସହ ମୁମ୍ବାଇ ପୁଲିସ କିଭଳି ତଦନ୍ତ ଠିକ୍ ଭାବରେ କରୁନାହିଁ ତାହା ସେ ଖୋଲାଖୋଲି ପ୍ରକାଶ କରିଥିଲେ। ଗତ ମଙ୍ଗଳବାର ଡିଜିପି ପାଣ୍ଡେ ସ୍ବେଚ୍ଛାକୃତ ଅବସର ନେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିହାରରେ ବିଧାନସଭା ନିର୍ବାଚନ ସମୟରେ ସେ ଅବସର ନେଇଥିବାରୁ, ଡିଜିପି ପାଣ୍ଡେ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ।

ପ୍ରଥମେ, ମୋର ରାଜନୀତିରେ ଯୋଗ ଦେବା ପାଇଁ କୌଣସି ଯୋଜନା ନଥିବା କହିବା ପରେ ଆଜି, ଲୋକେ ଚାହିଁଲେ ମୁଁ ସେମାନଙ୍କ ନେତା ହେବି ବୋଲି କହିଛନ୍ତି ଡିଜିପି ଗୁପ୍ତେଶ୍ବର ପାଣ୍ଡେ। ତାଙ୍କ କହିବା ମୁତାବକ, ଲୋକମାନେ ବହୁ ସଂଖ୍ୟାରେ ମୋ ପାଖକୁ ଆସୁଛନ୍ତି ଏବଂ ମୋତେ ତାଙ୍କ ଜିଲ୍ଲାରୁ ନିର୍ବାଚନ ଲଢ଼ିବା ପାଇଁ କହୁଛନ୍ତି । ସମସ୍ତେ ମୋର ଅତି ନିକଟତର । ଏହା ଜନସାଧାରଣଙ୍କ ଦ୍ୱାରା ଏକ ନିଷ୍ପତ୍ତି ହେବ। ଯଦି ସେମାନେ ମୋତେ ଚାହାଁନ୍ତି, ତେବେ ମୁଁ ରାଜନୀତିରେ ପ୍ରବେଶ କରିପାରେ । ମୁଁ ରାଜନୀତିରେ ପ୍ରବେଶ କଲେ ସିଂହ ଭଳି ରାଜନୀତିରେ ଯୋଗ ଦେବି । ମୁଁ ସ୍ବାଧୀନ ପ୍ରାର୍ଥୀଭାବେ କୌଣସି ବି ସ୍ଥାନରୁ ନିର୍ବାଚନ ଲଢ଼ି ଜିତି ପାରିବି ।