ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେଉଛି । ଚଳିତ ବର୍ଷ ପାଳନ ହେଉଥିବା ୭୫ତମ ଧନୁଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଳାକାର ତଥା ଆୟୋଜକମାନେ ସଫଳ ଯାତ୍ରାର ଆୟୋଜନ ପାଇଁ ଉଦ୍ୟମ କରୁଛନ୍ତି । ଉଭୟ ରଙ୍ଗମହଲ ଓ ଦରବାର ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଁଞ୍ôଚଛି । ଏଥର ମହାରାଜ କଂସଙ୍କ ଦରବାରକୁ ରାଜସ୍ଥାନୀ ମହଲ ଢାଞ୍ଚାରେ ସଜା ଯାଇଛି । ଧନୁଯାତ୍ରା ସମୟରେ ୧୧ ଦିନ ପାଇଁ ବରଗଡ଼ ସହର ମଥୁରା ନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ । ମଥୁରା ନଗରୀରେ କଂସ ମହାରାଜଙ୍କ ଦରବାର ଲାଗିବ । ମଥୁରା ଓ ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଦେଖିବାକୁ ମିଳିବ ।
ଏହି ଧନୁଯାତ୍ରା ଅବସରରେ ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ବୟନିକା ତରଫରୁ ଜାତୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଥିବାବେଳେ ମହୋତ୍ସବ ସମୟରେ ଯମୁନା ନଦୀ କୁହାଯାଉଥିବା ଜିରା ନଦୀପଠାରେ ପଲ୍ଲିଶ୍ରୀ ମେଳା ଓ ବରଗଡ଼ ସହରରେ ୧୦ ହଜାର ବର୍ଗଫୁଟର ରଙ୍ଗୋଲୀ ପ୍ରସ୍ତୁତ ହୋଇଛି । ଉଦ୍ଘାଟନୀ ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୦ଟି ସାଂସ୍କୃତିକ ଦଳ ଭାଗନେବେ । ମା’ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ବରଗଡ଼-ହାଟପଦା ରାଜ ଦରବାରରେ ଧନୁଯାତ୍ରାକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି । ଏହି ଧନୁଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।