ଧର୍ମେନ୍ଦ୍ର-ମିତ୍ତଲ ଆଲୋଚନା : ଓଡ଼ିଶାକୁ ଇସ୍ପାତ୍‌ ପେଣ୍ଠସ୍ଥଳୀରେ ପରିଣତ ପାଇଁ ଗୁରୁତ୍ଵ

ଭୁବନେଶ୍ଵର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଓ ସିଇଓ ଆଦିତ୍ୟ ମିତ୍ତଲଙ୍କ ମଧ୍ୟରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ବାସଭବନରେ ଆୟୋଜିତ ଏହି ବୈଠକରେ ଧର୍ମେନ୍ଦ୍ର ଓଡ଼ିଶାରେ ଇସ୍ପାତ ଉତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସମ୍ପ୍ରସାରଣ ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ବିଶେଷକରି ଓଡ଼ିଶାକୁ ଇସ୍ପାତ୍‌ର ପେଣ୍ଠସ୍ଥଳୀରେ ପରିଣତ କରିବା ଓ ସେଥିରେ ଆର୍ସେଲର ମିତ୍ତଲର ଭୂମିକା କ’ଣ ରହିବ ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି।

ବୈଠକରେ ତୈଳ, ଗ୍ୟାସ, ଇସ୍ପାତ୍‌, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା। ନୂତନ ଉଦ୍ଭାବନ ମାଧ୍ୟମରେ କିପରି ତୈଳ, ଗ୍ୟାସ, ଇସ୍ପାତ୍‌, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ରକୁ ଅଧିକ ମଜଭୁତ, ଦକ୍ଷତା ସମ୍ପନ୍ନ ଓ ବୈଶ୍ଵିକ ପ୍ରତିଯୋଗିତାମୂଳକ କରିହେବ ସେ ଦିଗରେ ବି ଆଲୋଚନା ହୋଇଥିଲା। ଏସବୁ କ୍ଷେତ୍ରରେ ନୂତନ ଉଦ୍ଭାବନ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ଵାରୋପ କରିବା ସହିତ ଆତ୍ମନିର୍ଭର ଯାତ୍ରାରେ ଆର୍ସେଲର ମିତ୍ତଲର ସହଯୋଗ ଉପରେ ଆଲୋଚନା କରିଥିଲେ।

୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ କେବଳ ଓଡ଼ିଶାରେ ୧୦୦ ନିୟୁତ ଟନ ଉତ୍ପାଦନ ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନ ଏବଂ ଆତ୍ମନିର୍ଭର ଭାରତରେ ଓଡ଼ିଶାରେ ଥିବା ଧାତୁ ଓ ଖଣି କ୍ଷେତ୍ରର ଭୂମିକା କ’ଣ ରହିବ ସେ ବିଷୟରେ ବୈଠକରେ ଆଲୋଚନା ହୋଇଛି। ଉନ୍ନତମାନର ଟେକ୍ନୋଲୋଜି ଏବଂ ଇସ୍ପାତ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସହିତ ଘରୋଇ ଇସ୍ପାତକୁ ବୃଦ୍ଧି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ। କମ୍ପାନୀର ସମ୍ପ୍ରସାରଣ ପାଇଁ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।