ଆଜି ୮୫ ବର୍ଷ ବୟସରେ ପାଦ ଦେଲେ ଧର୍ମେନ୍ଦ୍ର

ମୁମ୍ବାଇ,୮ /୧୨: ୭୦ ଦଶକ ମଧ୍ୟଭାଗରେ ବିଶ୍ୱର ୧୦ ସବୁଠୁ ହ୍ୟାଣ୍ଡସମ୍ ପୁରୁଷ ତାଲିକାରେ ସ୍ଥାନ ପାଇଥିବା ଭାରତୀୟ ସିନେମାର ‘ହି-ମ୍ୟାନ୍‌’ ନାମରେ ପରିଚିତ ବୀରୁ ୮୫ ବର୍ଷ ବୟସରେ ପାଦ ଦେଇଛନ୍ତି । ଅଭିନୟ, ପ୍ରଯୋଜନା ସହିତ ଜଣେ ରାଜନେତା ଭାବେ ଧର୍ମେନ୍ଦ୍ର ବେଶ ପରିଚିତି ପାଇଛନ୍ତି । ହିନ୍ଦୀ ସିନେମା ପ୍ରତି ଅନନ୍ୟ ଅବଦାନ ଲାଗି ୧୯୯୭ରେ ଫିଲ୍ମଫେୟାର ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

୧୯୭୫ ମସିହାରେ ମୁକ୍ତିପ୍ରାପ୍ତ ‘ଶୋଲେ’ରେ ତାଙ୍କ ଭୂମିକା ଚିରସ୍ମରଣୀୟ । ୨୦୧୨ରେ ଧର୍ମେନ୍ଦ୍ର ଭାରତ ସରକାରଙ୍କ ଦ୍ୱାରା ପଦ୍ମ ଭୂଷଣ ଦ୍ୱାରା ସମ୍ମାନିତ ହୋଇଥିଲେ । ‘ଧର୍ମ ବୀର’, ‘ଆଜାଦ’, ‘କାତିଲୋଁ କେ କାତିଲ’, ‘ଗଜବ୍‌’, ‘ବଗାୱତ୍‌’, ‘ଧର୍ମ ଔର୍ କାନୁନ୍‌’, ‘ହୁକୁମତ୍‌’ ଓ ଆହୁରି ଅନେକ ଆକ୍ସନ୍ ଫିଲ୍ମରେ ଦମ୍‌ଦାର ପ୍ରଦର୍ଶନ ଲାଗି ଧର୍ମେନ୍ଦ୍ର ଷ୍ଟାର୍ ପାଲଟିଗଲେ ।

ଆଜି ବି ସଫଳତାର ସହ ସିନେ ଜଗତରେ ସେ ନିଜର କଳା ପ୍ରଦର୍ଶନ କରୁଛନ୍ତି । ୧୯୩୫ ମସିହା, ଡିସେମ୍ବର ୮ ତାରିଖରେ ପଞ୍ଜାବର ଲୁଧିଆନା ଜିଲ୍ଲାର ନାସରାଲି ନାମକ ଗାଁରେ ଧର୍ମେନ୍ଦ୍ର ଜନ୍ମଗ୍ରହଣ କରିଥିଲେ ।