ଭୁବନେଶ୍ୱର, ୨୮/୧୦: ଆଜି ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ । ଏହି ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପୁଛି ପରିବେଶ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ସମସ୍ତ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମୁଖମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ,ଶାନ୍ତିର କୌଣସି ବିକଳ୍ପ ନାହିଁ । ସବୁ ଯୁଗରେ ଏହାର ସ୍ବତନ୍ତ୍ର ସ୍ଥାନ ରହିଛି । ସୁନ୍ଦର ଓ ଭଲ ବିଶ୍ୱ ପାଇଁ ଶାନ୍ତି ହିଁ କେବଳ ବିକଳ୍ପ । ଉତ୍କଳର ଐତିୟ ଓ ଅସ୍ମିତାର ନିଦର୍ଶନ ହେଉଛି ଧଉଳି ଶାନ୍ତିସ୍ତୁପ । ଆମେ ସମସ୍ତେ ଏକାଠି ହୋଇ ଶାନ୍ତିର ବାର୍ତ୍ତାକୁ ପ୍ରଚାର କରିବା ଏବଂ ଆମର ପରବର୍ତ୍ତୀ ପିଢି ପାଇଁ ଏକ ସୁରକ୍ଷିତ ବିଶ୍ୱ ଗଠନ କରିବା । ଓଡ଼ିଶାର ଇତିହାସ ଧଉଳି ଓ କଳିଙ୍ଗ ଯୁଦ୍ଧରୁ ଆରମ୍ଭ ହୋଇଛି । ଯଦିଓ ଏହି ଯୁଦ୍ଧ ବ୍ୟାପକ ରକ୍ତପାତରେ ଶେଷ ହୋଇଥିଲା ହେଲେ ଧଉଳି ଏବେ ସମଗ୍ର ମାନବିକତାର ଏକ ନୈତିକ ବିଜୟର ନିଦର୍ଶନ ଭାବେ ରହିଛି । ଧଉଳି ଶାନ୍ତିସ୍ତୁପର ୫୦ ବର୍ଷ ପୂର୍ତ୍ତି ହେଉଛି ଆମ ପାଇଁ ଏକ ଗର୍ବ, ଗୌରବ ଓ ଆନନ୍ଦର ବିଷୟ । ଏ ହେଉଛି ସେହି ଭୂମି ଯେଉଁଠି ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ହୋଇଥିଲେ । ଏହି ଶାନ୍ତିସ୍ତୁପ ଶାନ୍ତି, ସଦ୍ଭାବ ଓ ପ୍ରଗତିର ପ୍ରତୀକ ରୂପେ ଛିଡା ହୋଇଛି । ଧଉଳି ଶାନ୍ତିସ୍ତୁପ ହେଉଛି ଅତ୍ୟାଧୁନିକ ସ୍ଥାପତ୍ୟର ଏକ ଅନ୍ୟବଦ୍ୟ ସୃଷ୍ଟି । ଏହା ଭାରତ ଓ ଜାପାନ ବନ୍ଧୁତା ଓ ସହବନ୍ଧନର ମୂକସାକ୍ଷୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଫୁଜି ଗୁରୁଜୀ ନିପ୍ପୋଞ୍ଜାନ ମିହେଜୀଙ୍କୁ ବହୁମୂଲ୍ୟ ଅବଦାନ ଲାଗି କୃତଜ୍ଞତା ଜଣାଇଥିଲେ ।
ଫୁଜି ଗୁରୁଜୀଙ୍କ ଉଦ୍ୟମରେ ବିଶ୍ୱ ଶାନ୍ତିସ୍ତୁପ ନିର୍ମାଣ ସମ୍ଭବ ହୋଇଥିଲା । ରାଜ୍ୟ ସରକାର ଏହି ଶାନ୍ତିସ୍ତୁପକୁ ଏକ ଆନ୍ତର୍ଜାତୀକ ପର୍ଯ୍ଯଟନସ୍ଥଳୀରେ ପରିବର୍ତ୍ତନ କରିବା ଦିଗରେ ନିରନ୍ତର କାମ କରୁଛନ୍ତି । ଦୟାନଦୀରେ ଏକ ଷ୍ଟ୍ରୋରେଜ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ୯୫ କୋଟି ଟଙ୍କା ଏହି ପ୍ରକଳ୍ପରେ ବ୍ୟୟ ହେବ ବୋଲି କହିଛନ୍ତି । ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ସମସ୍ତ ଉପସ୍ଥିତ ବୌଦ୍ଧ ଭିକ୍ଷୁକୁ ଧନ୍ୟବାଦ ଦେବା ସହ ବିଶ୍ୱର ଅନେକ ଦେଶରୁ ଆସିଥିବା ସନ୍ନ୍ୟାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ଅଶ୍ୱିନୀ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
