ଭୁବନେଶ୍ୱର,୧୯ /୧୧- (ପ୍ରଦୀପ୍ତ କୁମାର ଦାସ) : କମିସନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାରେ ଥିବା ଧଉଳି ଥାନାକୁ ଭିଜିଲାନ୍ସ ଦଶା ପଡିଛି । ଗତ କିଛି ବର୍ଷ ଭିତରେ ଗୋଟିକ ପରେ ଗୋଟିଏ ଏହିପରି ଜଣେ ଇନ୍ସପେକ୍ଟର,ତାଙ୍କ ପରେ ଜଣେ ସବ ଇନ୍ସପେକ୍ଟର ଓ ଏବେ ଆଉ ଜଣେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବୁଧବାର ଏହି ଥାନାରେ କାର୍ଯ୍ୟକରୁଥିବା ଏଏସଆଇ ତୋଫାନ ଗୁରୁଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଧରିଛି ଭିଜିଲାନ୍ସ । ଏକ ଜମିଜମା ବିବାଦ ମାମଲାକୁ ନେଇ ସେ ସମ୍ପୃକ୍ତ ଅଂଚଳର ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପନ୍ଦର ଶହ ଟଙ୍କା ଲାଞ୍ଚ ଆକାରରେ ନେଉଥିଲେ । ତେବେ ସେତିକିବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ ହାତରେ ସେ ଧରାପଡିଯାଇଥିଲେ। ତାଙ୍କ ଠାରୁ ଉକ୍ତ ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ,ଏସଂକ୍ରାନ୍ତରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନରେ ସମ୍ପୃକ୍ତ ଏଏସଆଇ ତୋଫାନ ଗୁରୁଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି ଓ ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଅର୍ଥାତ ୨୦୧୫ ମେ ମାସରେ ଧଉଳି ଥାନାର ତତ୍କାଳୀନ ଇନ୍ସପେକ୍ଟର ଦେବୀ ପ୍ରସାଦ ଦାଶଙ୍କୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ସେହି ଥାନା ଅଂଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ମାମଲାରେ କୋହଳ ଆଭିମୁଖ୍ୟ ପୋଷଣ କରିବାକୁ ସେ ଉକ୍ତ ଟଙ୍କା ଲାଞ୍ଚ ଆକାରରେ ନେଉଥିଲେ । ମାତ୍ର ସେଠାରେ ପୂର୍ବରୁ ଛକି ରହିଥିଵା ଭିଜିଲାନ୍ସ ହାତରେ ସେ ଧରାପଡ଼ି ଗିରଫ ହୋଇ ଥିଲେ । ସେହିପରି ବର୍ଷେ ତଳେ ସେହି ଥାନାର ତତ୍କାଳୀନ ଏସଆଇ ପ୍ରଦୀପ ମହଲା ଏକ ଜମି ବିବାଦ ମାମଲାରେ ଚିତ୍ତରଞ୍ଜନ ପାଣି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ତିରିଶ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡି ଗିରଫ ହୋଇଥିଲେ। ତେବେ ଭୁବନେଶ୍ୱରର ନିର୍ଦିଷ୍ଟ ଏକ ପୋଲିସ ଥାନାରେ ଜଣକ ପରେ ଜଣେ ଅଧିକାରୀ ଏପରିଭାବେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲଯିବା ଘଟଣା ଏବେ ରାଜଧାନୀରେ ବେଶ କୌତୁହଳ ଓ ଚର୍ଚ୍ଚାର ବିଷୟ ହୋଇଛି ।