ମହାକାଳପଡ଼ା, ୨୮ /୧୧: ଆତ୍ମ ନିର୍ଭରଶୀଳ ଲକ୍ଷ୍ୟରେ ମହାକାଳପଡ଼ା ବ୍ଲକ ରାମନଗର ପଂଚାୟତସ୍ଥ ପିତାପାଟ ଗାଁ ର ଦିନେଶ ବୈଦ୍ୟ ଋଣ ଆଣି ଖରିନାସି ଜିତରେ ଧଳା ଇଟା କାରଖାନା ଚଳାଉଥିଲେ l ରାମନଗର ଓ ଖରିନାସିର ଶ୍ରମିକ ଓ ମିସ୍ତ୍ରୀଙ୍କୁ କାର୍ଯ୍ୟରେ ନିୟୋଜନ କରୁଥୁବା ସ୍ଥଳେ, ଦୁଇ ମାସ ତଳେ ଭଦ୍ରକ ଅଂଚଳର ପରମାନନ୍ଦ ବେହେରାଙ୍କୁ ମିସ୍ତ୍ରୀ ଭାବେ ନିଯୁକ୍ତି କରିଥିଲେ l ଦୁଖେ ସୁଖେ କାରଖାନା ଚଳାଇ ନିଜ ପରିବାର ପ୍ରତିପୋଷଣ ସହିତ ଶ୍ରମିକ ଓ ମିସ୍ତ୍ରୀଙ୍କୁ ପାରିଶ୍ରମିକ ଦେଇଚାଲିଥିଲେ l ଦୁଇ ମାସ ହେବ ବାକି ରହିଥିବା କିଛି କର୍ମଚାରୀ ପଇସା ଭରଣା ପାଇଁ ରବିବାର ଦିନ ଏକ ଲକ୍ଷରୁ ଅଧିକ ଟଙ୍କା ପାଖରେ ରଖିଥିଲେ l ଆଉ ଗତକାଲି ରାତ୍ରି ୯ଟା ପରେ ସ୍ଥାନୀୟ କର୍ମଚାରୀମାନେ କାମସାରି ଯିବା ପରେ ମାଲିକ ଦିନେଶ ଓ ନୂଆମିସ୍ତ୍ରୀ ପରମାନନ୍ଦ ଭୋଜି ଭାତ କରୁଥିବାର ସ୍ଥାନୀୟ ଲୋକେ କହନ୍ତି l ମାତ୍ର ସୋମବାର ଦିନ ସକାଳୁ କାରଖାନା ପରିସରରେ ଦିନେଶଙ୍କ ମର ଶରୀର କ୍ଷତ ବିକ୍ଷତ ଅବସ୍ଥାରେ ପଡିଥିବାବେଳେ ପରମାନନ୍ଦ ଫେରାର ଥିଲେ l
ଏଭଳି ଅଘଟଣ ନେଇ ସ୍ଥାନୀୟ ଲୋକେ ଜମ୍ବୁ ସାମୁଦ୍ରିକ ପୋଲିସକୁ ଖବର ଦେଇଥିଲେ l ସ୍ଥାନୀୟ ଥାନା ଅଧିକାରୀ ପରେଶ ମହାନ୍ତି,ଏସଡିପିଓ ଜୟନ୍ତ ମହାପାତ୍ର ଓ ଅନ୍ୟ ସହଯୋଗୀ ପୋଲିସଙ୍କୁ ସାଥିରେ ଧରି ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଚଳାଇଥିଲେ l ସାଥିରେ ଆସିଥିବା ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ମୃତ୍ୟୁର ରହସ୍ୟ ଖୋଜୁ ଥିବା ବେଳେ ଏସପି ସନ୍ଦୀପ ସମ୍ପଦ ମଦକର ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନର ଦିଗକୁ ତ୍ୱରିତ କରାଇଥିଲେ l ଉଲ୍ଲେଖ ଥାଉକି ଫେରାର ମିସ୍ତ୍ରୀ ମୃତକଙ୍କ ମୋବାଇଲ ଫୋନ ଓ ବ୍ୟାଗରୁ ସମସ୍ତ କାଗଜାତl ନେଇଥିବା ସ୍ଥଳେ, ଭୋଜି ପରେ ମଦ୍ୟ ପାନ କରି ବୋତଲ ଏଣେ ତେଣେ ପଡିଥିବାର ଦେଖିବାକୁ ମିଳିଛି l ମୃତକଙ୍କ ପରିବାର ପକ୍ଷରୁ ବଡ଼ ଭାଇ ରମେଶ ସାନ ଭାଇକୁ ମାରି ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ଅନୁସନ୍ଧାନ ଜାରିରଖିଛି l
ଦୁଃଖର କଥା ଦୀନେଶଙ୍କ ମୃତ୍ୟୁ ପରେ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଭାଇ ଭାଉଜ, ପତ୍ନୀ ଓନିଜର ସନ୍ତାନ ସନ୍ତତି ଦୁଃଖରେ ବିଳାପ କରୁଛନ୍ତି l ଆଉ କେଉଁ କାରଣରୁ କିଏ ଘାତକ ସାଜି ଏଭଳି ଅଘଟଣ ଘଟାଇଲା ଏନେଇ ପରିବାର ଲୋକଙ୍କ ସହିତ ପଡୋଶୀ ଏବଂ ରାମନଗର ବଣିକ ସଙ୍ଘ ଚିନ୍ତାରେ ଅଛି l ପୋଲିସ ତଦନ୍ତ ସମୟରେ ଘଟଣା ସ୍ଥଳରେ ରାମନଗର ସରପଞ୍ଚ ମିଲ୍ଲନ ଦେବନାଥ, ଅର୍ଜୁନି ମଣ୍ଡଳ, ରତନ କାଞ୍ଜିଲାଲ,ଖରିନାସିର ପୂର୍ବତନ ସରପଞ୍ଚ ରଞ୍ଜନ ଦାସ, ସୁବାଷ ବିଶ୍ୱାସ ସମେତ ସ୍ଥାନୀୟ ଅଂଚଳର ଶତାଧିକ ସାଧାରଣ ଜନତା ଓ ବ୍ୟବସାୟୀ ଉପସ୍ଥିତ ଥିଲେ l