ଆଜିର ଦିନକୁ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ମଧ୍ୟ କୁହାଯାଏ । ଓଡ଼ିଆ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ନୂଆବର୍ଷ । ଏହି ଦିନରେ ପବନପୁର୍ତ ହନୁମାନଙ୍କ ଜୟନ୍ତୀ । ଏଥିପାଇଁ ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜାଯାଇଛି । ଜୟ ହନୁମାନ ଜ୍ଞାନ ଗୁନ ସାଗର ଶ୍କୋକରେ ଗୁଞ୍ଜରିତ ହେଉଛି ମନ୍ଦିର । ହନୁମାନ ଜୟନ୍ତୀ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଭକ୍ତଙ୍କୁ ପଣା ଓ ଭୋଗ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଘରେ ଘରେ ମଧ୍ୟ ପଣା ସଂକ୍ରାନ୍ତି ପାଳନ କରାଯାଉଛି । ବୃନ୍ଦାବତୀଙ୍କ ଉପରେ କଳସ ବସାଇ ସେଥିରେ ପଣା ଭୋଗ ଲଗାଯାଏ ।
ଓଡିଆ ପରମ୍ପରା ଅନୁସାରେ ଏହି ଦିନର ଏକ ବିଶେଷତ୍ୱ ରହିଛି । ଭଗବାନ୍ ରାମଚନ୍ଦ୍ରଙ୍କ ପରମ ଭକ୍ତ ଭଗବାନ୍ ହନୁମାନଙ୍କ ଜନ୍ମଦିନ ବୋଲି ଓଡିଶାବାସୀ ବିଶ୍ୱାସ କରନ୍ତି । ତେଣୁ ହନୁମାନ ମନ୍ଦିରରେ ମହାସମାବେଶର ଆୟୋଜନ ହୁଏ । ଦିନସାରା ମନ୍ଦିରରେ ହୋମ-ଯଜ୍ଞ ଏବଂ ଭଜନ କୀର୍ତ୍ତନ ଆଦି ଚାଲିଥାଏ । ନୂତନ ବର୍ଷରେ ଅନେକ ଭକ୍ତ ହନୁମାନ ମନ୍ଦିର, ଶିବ ଏବଂ ସୂର୍ଯ୍ୟ ଦେବତା ମନ୍ଦିର ଯାଆନ୍ତି ।
ଜାଣିଛନ୍ତି କାହିଁକି ଆଜି ପାଳନ ହୁଏ ଓଡ଼ିଆ ନବବର୍ଷ । କାହିଁକିନା ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତିଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର ପ୍ରଥମ ଦିବସ । ଏହି ଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ । ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ ।
୩ଟି ପ୍ରତ୍ୟକ୍ଷ ଗତି ମଧ୍ୟରୁ ଦୋଳନ ଗତି ଅନ୍ୟତମ । ଏହି ଦୋଳନଗତି ଥରେ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨୬ହଜାର ବର୍ଷ ଲାଗିଥାଏ । ଏହି ଗତି ବର୍ତ୍ତମାନ ପଶ୍ଚାତକ୍ରମରେ ମୀନ ଆଡ଼କୁ ୨୪ଡିଗ୍ରୀ ଘୁଞ୍ଚି ଆସିଲାଣି । ଏହି କ୍ରମରେ ଏହା ୩୬୦ଡିଗ୍ରୀ ପର୍ଯ୍ୟନ୍ତ ଗତି କରିବ । ମାତ୍ର ଓଡ଼ିଶାର ମହାନ ବିତତ୍ତ୍ୱବିତ୍ ପଠାଣି ସାମନ୍ତଙ୍କ ମତ ଅନୁଯାୟୀ ଏହି ଗତି ଆଗକୁ ୨୭ଡିଗ୍ରୀ ଓ ପଛକୁ ୨୭ଡିଗ୍ରୀ ଗତି କରିବ । ଏହିପରି ଏହା କେବଳ ୫୪ଡିଗ୍ରୀ ଭିତରେ ହିଁ ଗତି କରିପାରିବ । ଏହି ଗତି ଫଳରେ ଗ୍ରହ ନକ୍ଷତ୍ରଙ୍କ ଦ୍ରାଘିମାରେ ପରିବର୍ତ୍ତନ ଆସେ । ଏହାକୁ ନିରୟଣ ପଦ୍ଧତି କୁହାଯାଏ । ଭାରତୀୟ ଜ୍ୟୋତିର୍ବିଦମାନେ ନିରୟଣ ମତବାଦର ସପକ୍ଷରେ । ଏହିଠାରୁ ହିଁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାରେ ଏହି ଦିବସକୁ ମହାବିଷୁବ ସଂକ୍ରାନ୍ତି ଭାବେ ଉଲ୍ଲେଖ କରାଯାଇଥାଏ । ଆଜିଠୁ ପ୍ରଚଳନ ହୋଇଥାଏ ନୂଆ ପାଞ୍ଜି । ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ । ଏହି ଦିନଟିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ଦିନରେ ବର୍ଷର ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ଠାରେ ସ୍ୱତନ୍ତ୍ର ଭାବରେ ପୂଜା ଅର୍ଚ୍ଚନା, ଭୋଗ, ହୋମ ଆଦି କରାଯାଏ । ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ । ପାର୍ବଣ ଥିବାରୁ ଏହି ଦିନଟି ସମସ୍ତଙ୍କ ପାଇଁ ବହୁତ ସ୍ୱତନ୍ତ୍ର ହୋଇଥାଏ ।