ହରିଆଣା, ୨୩/୮ : ଗଧ ଦୁଗ୍ଧର ଉପଯୋଗିତା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେଣୁ ଦେଶରେ ପ୍ରଥମ ଥର ପାଇଁ ହରିଆଣାର ହିସାରରେ ଗଧର କ୍ଷୀର ବିକ୍ରି ହେବାକୁ ଯାଉଛି ଏବଂ ଏହାର ଏକ ଲିଟର କ୍ଷୀରର ମୂଲ୍ୟ ୭୦୦୦ ଟଙ୍କା ରହିବ । ଗଧ କ୍ଷୀର କେବଳ ମଣିଷ ପାଇଁ ଅତ୍ୟନ୍ତ ଲାଭଦାୟକ ନୁହେଁ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ବ୍ୟତୀତ ଅନେକ ପ୍ରସାଧନ ସାମଗ୍ରୀ ମଧ୍ୟ ଏଥିରୁ ପ୍ରସ୍ତୁତ ହୋଇଥାଏ ।
ରାଷ୍ଟ୍ରୀୟ ଅଶ୍ବ ଅନୁସନ୍ଧାନ କେନ୍ଦ୍ର ହିସାରରେ ଗଧ ଦୁଗ୍ଧ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି | ହାଲାରୀ ପ୍ରଜାତିର ଏକ ଗଧର ଦୁଗ୍ଧ ବିକ୍ରି ହେବ ବୋଲି ଜଣାପଡିଛି । ଯେଉଁଥିପାଇଁ ଅନୁସନ୍ଧାନ କେନ୍ଦ୍ର ପୂର୍ବରୁ ୧୦ଟି ହାଲାରୀ ପ୍ରଜାତିର ଗଧ କିଣିଛି । ହାଲାରୀ ପ୍ରଜାତିର ଗଧର କ୍ଷୀରକୁ ଔଷଧର ଭଣ୍ଡାର ବୋଲି କୁହାଯାଏ । ସେହି କ୍ଷୀରରେ କର୍କଟ, ମେଦବହୁଳତା, ଆଲର୍ଜି ଭଳି ରୋଗର ପ୍ରତିରୋଧକ କ୍ଷମତା ରହିଛି ଓ ଏହା ଗୁଜୁରାଟରେ ଦେଖିବାକୁ ମିଳେ |
ବିଶେଷଜ୍ଞମାନେ କହିଛନ୍ତି ଯେ ଅନେକ ଥର ଛୋଟ ପିଲାମାନେ ଗାଈ କିମ୍ବା ବଳଦ କ୍ଷୀରରେ ସଂକ୍ରମଣର ଶିକାର ହୋଇଥାନ୍ତି । କିନ୍ତୁ ସେମାନେ ଗଧ କ୍ଷୀରରେ ସଂକ୍ରମିତ ହୁଅନ୍ତିନାହିଁ କାରଣ ଗଧ କ୍ଷୀରରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଏଜେନିକ୍ ଉପାଦାନ ରହିଥାଏ ଯାହା ଶରୀରରେ ଅନେକ ଗମ୍ଭୀର ରୋଗ ସହିତ ଲଢିବାରେ ସହଯୋଗ କରେ ।
ବ୍ରାଣ୍ଡିଂ ପରେ ଖୁବ ଶୀଘ୍ର ଗଧ ଦୁଗ୍ଧ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ବଜାରରେ ଗଧ କ୍ଷୀର ଲିଟର ପିଛା 2000 ରୁ 7000 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ | ସେଥିରୁ ପ୍ରସ୍ତୁତ ପ୍ରସାଧନ ସାମଗ୍ରୀ ମଧ୍ୟ ଖୁବ ମହଙ୍ଗା ହୋଇଥାଏ । ଗଧ କ୍ଷୀର ସହିତ ସାବୁନ୍, ଲିପ୍ ବାମ, ଶରୀର ଲୋସନ ପ୍ରସ୍ତୁତ କରାଯାଉଛି ।