ଅଚ୍ୟୁତ ସାମନ୍ତଙ୍କୁ କାହୋ ଆଉଟଷ୍ଟାଣ୍ଡିଂ ଲିଡର ସମ୍ମାନ

ଭୁବନେଶ୍ୱର, ୧୧/୦୪ : ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ କନସୋର୍ଟିଅମ ଅଫ୍ ଆକ୍ରିଡେଟେଡ ହେଲଥ କେୟାର ଅର୍ଗାନାଇଜେସନ (କାହୋ) ପକ୍ଷରୁ ସମ୍ମାନଜନକ କାହୋ ଆଉଟଷ୍ଟାଣ୍ଡିଂ ଲିଡର ସମ୍ମାନ ପ୍ରଦାନ କରାଯାଇଛି । ଆଜି ଚେନ୍ନାଇଠାରେ ଏକ ସ୍ଵତନ୍ତ୍ର ଉତ୍ସବରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଶିକ୍ଷା, ସ୍ୱାସ୍ଥ୍ୟ, ଜନଜାତି ବିକାଶ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କାହୋ ଫ୍ଲାଗସିପ ଅନ୍ତର୍ଜାତୀୟ ସମ୍ମିଳନୀର ୧୦ମ ସଂସ୍କରଣ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କାହୋର ସଭାପତି ଡ ବିଜୟ ଅଗ୍ରୱାଲ ଓ ସଚିବ ଡ ଲାଲୁ ଜୋଶେଫଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ୨୫ଶହ ରୁ ଊର୍ଦ୍ଧ୍ବ ହେଲଥ କେୟାର ଲିଡର, କ୍ଲିନିସିଆନ, ନୀତି ନିର୍ଦ୍ଧାରକ ଓ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । କାହୋ ଏକ ସମ୍ମାନଜନକ ଅନୁଷ୍ଠାନ । ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଦକ୍ଷିଣ ଭାରତରେ ବହୁ ବିଶିଷ୍ଟ ବ୍ୟକ୍ତି ଥିବାବେଳେ ଓଡ଼ିଶାରୁ ଅଚ୍ୟୁତ ସାମନ୍ତଙ୍କୁ ଏହାର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରିବା ପାଇଁ ମନୋନୀତ କରିଥିବାରୁ ଶ୍ରୀ ସାମନ୍ତ କାହୋ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଭଳି ସମ୍ମାନ ଆହୁରି ଅଧିକ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ ବୋଲି ସେ ପ୍ରକାଶ କରିଛନ୍ତି ।