ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ପୁଣି ଥରେ ମିଳିଲା ଗୁରୁଦାୟିତ୍ୱ

ଭୁବନେଶ୍ୱର ୦୫/୦୯: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ଭାବେ ପୁଣି ଥରେ ନିଯୁକ୍ତି ପାଇଛନ୍ତି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସାଇକ୍ଲୋନମ୍ୟାନ୍‌ ଭାବେ ପରିଚିତ ତଥା ଓଡ଼ିଆ ପୁଅ ଶ୍ରୀ ମହାପାତ୍ର ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରୁଥିଲେ । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କେନ୍ଦ୍ର ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଆଇଏମ୍‌ଡିର ଡିଜି ଭାବେ ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ଯ୍ୟ କରିବେ । ୬୦ ବର୍ଷୀୟ ଡ଼.ମହାପାତ୍ର ଏବେ ଆଇଏମଡିରେ ମହାନିର୍ଦ୍ଦେଶକ(ଏଡିଜି) ଭାବେ କାର୍ଯ୍ୟ କରୁଛନ୍ତି । ସେ ୧୨ ଅଗଷ୍ଟ ୧୯୬୫ ଭଦ୍ରକରେ ଜନ୍ମ ଗ୍ରହଣ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେ ପ୍ରଥମେ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ରେ ସାଇଣ୍ଟିଫିକ୍‌ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲେ । ପରେ କୌଣସି କାରଣରୁ ଚାକିରିରୁ ଇସ୍ତଫା ଦେଇ ଭୁବନେଶ୍ୱର ସ୍ଥିତ ଏକ ସରକାରୀ କଲେଜରେ କିଛି ମାସ ଅଧ୍ୟାପନା କରିଥିଲେ । କିଛି ଦିନ ପରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ରେ ଯୋଗ ଦେଇଥିଲେ । ୧୯୯୯ ମସିହାର ମହାବାତ୍ୟା ସମୟରେ ସେ ଭୁବନେଶ୍ୱର ସ୍ଥିତ ଆଇଏମଡି କାର୍ଯ୍ୟାଳୟର ସାଇକ୍ଲୋନ ୱାର୍ଣ୍ଣିଂ ଡିଭିଜନରେ କାର୍ଯ୍ୟ କରୁଥିଲେ । ରାଜଧାନୀ ଦିଲ୍ଲୀ ସ୍ଥିତ ଆଇଏମଡି କାର୍ଯ୍ୟାଳୟକୁ ବଦଳି ହେବା ପରେ ସେ ମୁଖ୍ୟତଃ ବାତ୍ୟାଗୁଡ଼ିକର ମାର୍ଗର ସଠିକ୍‌ ଆକଳନ କରିବା ଏବଂ ଏସମ୍ପର୍କିତ ଅନ୍ୟ ତଥ୍ୟ ନିର୍ଦ୍ଧାରଣରେ ନିୟୋଜିତ ହୋଇଥିଲେ । ସେ ପ୍ରାୟ ୪୦ରୁ ଅଧିକ ବାତ୍ୟା ଉପରେ ନଜର ରଖିଥିଲେ ।ପାଣିପାଗ ବିଶେଷ କରିବ ବାତ୍ୟା ଏବଂ ତା’ର ମାର୍ଗ ସମ୍ପର୍କରେ ଏଭଳି ଆକଳନ କରାଯାଉନଥିଲା । ତେଣୁ ଧନଜୀବନ କ୍ଷୟକ୍ଷତି ଅଧିକ ହେଉଥିଲା । ଏସବୁ ଘଟଣା ତାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥିଲା ଯାହାଯୋଗୁ ସେ ପରବର୍ତ୍ତୀ ଜୀବନରେ ପାଣିପାଗ ବିଭାଗରେ କାମ କରିବା ଏବଂ ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଗତ ୫ ବର୍ଷ ହେବ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ଭାବେ କାର୍ଯ୍ୟ ସମ୍ଭାଳି ଆସୁଛନ୍ତି। ପୁଣି ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ଯ୍ୟ କରିବେ ।