ଡ୍ରିମ-୧୧ ହେଲା ଆଇପିଏଲ ୨୦୨୦ର ମୁଖ୍ୟ ପ୍ରାୟୋଜକ

ନୂଆଦିଲ୍ଲୀ : ଆଇପିଏଲ୍ 2020 ପାଇଁ ଚାଇନାର କମ୍ପାନୀ VIVO ସ୍ଥାନରେ ନୂତନ ଟାଇଟଲ୍ ପ୍ରାୟୋଜକ ଘୋଷଣା କରାଯାଇଛି । VIVO ବଦଳରେ ଡିଜିଟାଲ ସ୍ପୋର୍ଟସ ପ୍ଲାଟଫର୍ମ ଡ୍ରିମ-୧୧ ଆଇପିଏଲର ଟାଇଟଲ ସ୍ପନସର ବା ପ୍ରାୟୋଜକ ଅଧିକାର ପାଇଛି । ନୂଆ ଟାଇଟଲ ପ୍ରାୟୋଜନ ପାଇଁ ବିସିସିଆଇ ପକ୍ଷରୁ ଟେଣ୍ଡର ଆହ୍ୱାନ କରିଯାଇଥିଲା । ଆଇପିଏଲ୍‍ର ଟାଇଟଲ ପ୍ରାୟୋଜନ ପାଇଁ ବହୁ ଭାରତୀୟ କମ୍ପାନୀ ଆଗଭର ଥିଲେ। ଯେଉଁଥିରେ ଟାଟା ସନ୍‍ସ, ପତଞ୍ଜଳି ଆୟୁର୍ବେଦ, ବାଇଜୁସ୍‍, ଅନ୍‍ଏକାଡେମୀ ଓ ଅନ୍‍ଲାଇନ୍‍ ଗେମିଂ ୱେବ୍‍ସାଇଟ୍‍ ଡ୍ରିମ୍‍ ୧୧ ସାମିଲ ଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଅନ୍‍ଲାଇନ୍‍ ଗେମିଂ ୱେବ୍‍ସାଇଟ୍‍ ଡ୍ରିମ୍‍ ୧୧ ବିସିସିଆଇକୁ ୨୨୨ କୋଟି ଦେଇ ଆଇପିଏଲ ଟାଇଟଲ୍‌ ପ୍ରୟୋଜକ ହାତେଇଥିବା ସୂଚନା ଦେଇଛନ୍ତି ଆଇପିଏଲ ଚେୟାରମେନ୍ ବିଜେଶ ପଟେଲ।

କିଛିଦିନ ପୂର୍ବେ ବିସିସିଆଇ ଚୀନ ମୋବାଇଲ କମ୍ପାନି ଭିଭୋକୁ ପ୍ରାୟୋଜକ ପଦରୁ ହଟାଇଦେଇଥିଲା । ଗତ ୨୦୧୮ରୁ ଭିଭୋ ପ୍ରଥମଥର ପାଇଁ ଆଇପିଏଲର ପ୍ରାୟୋଜକ ହୋଇଥିଲା । ଏଥିପାଇଁ ଭିଭୋ ବିସିସିଆଇ ସହ ୫ ବର୍ଷ ପାଇଁ ୨୧୯୯ କୋଟି ଟଙ୍କାର ଚୁକ୍ତି କରିଥିଲା । ଅର୍ଥାତ ଭିଭୋ ବିସିସିଆଇକୁ ବର୍ଷକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲା ।

ସୂଚନାଯୋଗ୍ୟ ଯେ ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ । ଏବର୍ଷ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ଏପ୍ରିଲରେ ଆଇପିଏଲ ଖେଳାଯାଇନଥିଲା ।