ପୁରୀ: ପାଣି ପାଇଁ ଦେଖାଦେବ ହାହାକାର। ମୁନ୍ଦେ ପାଣି ବି ପିଇବାକୁ ପାଇବେନି ପୁରୀ ସହରବାସୀ। ସମଙ୍ଗ ଓ ସିରେଇକୋଣା ମୌଜାରେ ଥିବା ଜଳସଂରକ୍ଷଣ ପ୍ରକଳ୍ପକୁ ନେଇ ଦୀର୍ଘ ୧୨ ବର୍ଷ ଧରି ଲାଗି ରହିଥିବା ବିବାଦ ଆଜି ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଯଦି ୨୪ ଘଣ୍ଟା ଭିତରେ ବିବାଦର ସମାଧାନ ନ ହୁଏ, ଆଗକୁ ପୂରା ସହରକୁ ଜଳଯୋଗାଣ ବନ୍ଦ ହୋଇଯିବ। ଜଳଯୋଗାଣ ପାଇଁ ପମ୍ପ୍ର ଫୁଟବଲ ମୁହଁକୁ ବି ପାଣି ଅଣ୍ଟିବନି। ଯାହାର ପ୍ରଭାବ ବି ଆଜିଠୁ ଅନୁଭୂତ ହେବା ଆରମ୍ଭ ହୋଇଛି। ଆଜି ପୁରୀ ପୌରାଞ୍ଚଳର ଅଧା ଅଞ୍ଚଳ ପିଇବା ପାଣିରୁ ବଞ୍ଚିତ ହୋଇଛନ୍ତି।
ନରେନ୍ଦ୍ର କୋଣ, ଦେବୀଘାଟ ଆଦି ଅଞ୍ଚଳକୁ ଜଳଯୋଗାଣ ବନ୍ଦ ରହିଛି। ସେପଟେ ଯେଉଁଠି ପୁରୀ ସହର ପାଇଁ ଦୈନିକ ୩୦ ଏମଏଲ୍ଡି(୩ କୋଟି ଲିଟର) ପିଇବା ପାଣି ଆବଶ୍ୟକ ପଡ଼ିଥାଏ, ସେଠାରେ ମାତ୍ର ୧୦ ଏମଏଲ୍ଡି(୧ କୋଟି ଲିଟର) ପାନୀୟ ଜଳ ଯୋଗାଣ ହୋଇଛି। ପୂର୍ବରୁ ପୁରୀ ସହରର ତାଳବଣିଆ ଓ ବଳିଆପଣ୍ଡା ମଧୁର ଜଳଭଣ୍ଡାର ଅଞ୍ଚଳରୁ ସହରବାସୀଙ୍କୁ ଜଳଯୋଗାଣ ଚାଲିଥିଲା। କିନ୍ତୁ ଭୂତଳ ଜଳର ଅଭାବ କାରଣରୁ ପୁରୀବାସୀଙ୍କୁ ପିଇବା ପାଣି ନିଅଣ୍ଟ ପଡ଼ିଲା। ଶେଷରେ ସହରବାସୀଙ୍କୁ ପାନୀୟ ଜଳଯୋଗାଣ ପାଇଁ ପୁରୀ ତହସିଲ ଅଧୀନ ସମଙ୍ଗ ଓ ସିରେଇକୋଣା ମୌଜାରେ ପ୍ରଶାସନ ପକ୍ଷରୁ ପ୍ରାୟ ୪ଶହ ଏକର ଜମି ଅଧିଗ୍ରହଣ କରାଯାଇଛି।
ଏହିଠାରୁ ଏବେ ପୁରୀ ସହର ସହ ଶାମୁକା ପ୍ରକଳ୍ପକୁ ପାନୀୟ ଜଳ ଯୋଗାଣ ଚାଲିଛି। ଏଥିପାଇଁ ସମଙ୍ଗ ଓ ସିରେଇକୋଣା ମୌଜାରେ ୧୦ରୁ ଅଧିକ ପୋଖରୀ ବି ଖୋଳାଯାଇଛି। କିନ୍ତୁ ପାନୀୟ ଜଳଯୋଗାଣ ପାଇଁ ଦୁଇଟି ପୋଖରୀକୁ ପ୍ରମୁଖ ଉତ୍ସ ଭାବେ ବ୍ୟବହାର କରାଯାଉଛି। ଗୋଟିଏ ଗୋଟିଏ ପୋଖରୀର ଲମ୍ବ ପ୍ରାୟ ୧ କିଲୋମିଟର ହେବ। ଓସାର ବି ସେହିଭଳି। ଲକ୍ଷ୍ୟ ଥିଲା ଭାର୍ଗବୀ ନଦୀ ସହ ମଙ୍ଗଳା ନଈ ଓ ମୂଷା ନଈର ଜଳକୁ ଏହି ଦୁଇ ପୋଖରୀରେ ଭର୍ତ୍ତି କରିବା ପରେ ସହରକୁ ପାନୀୟ ଜଳଯୋଗାଣ କରାଯିବ। ସେଭଳି ବର୍ଷା ଜଳକୁ ବି ସଂରକ୍ଷିତ କରି ରଖିହେବ। ବର୍ଷାଦିନକୁ ଛାଡ଼ିଦେଲେ ବାକି ଦିନ ଏହି ନଦୀର ଜଳକୁ ପିଇବା ପାଣି ଭାବେ ବ୍ୟବହାର କରାଯିବ। ଏ ଭିତରେ ମୂଷା ନଈ ଓ ମଙ୍ଗଳା ନଈ ଶୁଖିଲା ପଡ଼ିଛି। ଜଳଯୋଗାଣର ପ୍ରମୁଖ ଉତ୍ସ ଭାବେ ଭାର୍ଗବୀର ଜଳକୁ ବ୍ୟବହାର କରାଯାଉଥିବାବେଳେ ଜମି ଅଧିଗ୍ରହଣ ବିବାଦ ପାଇଁ ଏହାର ଜଳପ୍ରବାହକୁ ଅଟକାଇ ଦେଇଛନ୍ତି ସିରେଇକୋଣା ଓ ଆଖପାଖ ଗାଁ ଲୋକେ। ଯେଉଁଥିପାଇଁ ଜଳଯୋଗାଣ ପାଇଁ ବ୍ୟବହାର ହେଉଥିବା ପୋଖରୀ ଶୁଖି ମାଟି ଦିଶିଲାଣି।