ବଲିଉଡ଼ ଡ୍ରଗ୍ସ ମାମଲା : ପଚରାଉଚରା ପାଇଁ କରଣ ଜୋହରଙ୍କୁ ସମନ ପଠାଇ ପାରେ ଏନସିବି !

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରୁ ସାମ୍ନାକୁ ଆସିଥିବା ଡ୍ରଗ୍ସ କନେକ୍ସନରେ ବଲିଉଡର ବଡ ନାମ ଯୋଡ଼ି ହେଉଛି। ଏହି ଘଟଣାର ତଦନ୍ତରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କ୍ରମାଗତଭାବେ ନୂଆ ତଥ୍ୟ ସାମ୍ନାକୁ ଆଣିବାରେ ଲାଗିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ବଲିଡଡ୍ ନାୟିକା ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂଙ୍କ ପରେ ଏବେ ପ୍ରଯୋଜକ କରଣ ଜୋହରଙ୍କ ପାଳି ପଡ଼ିବାକୁ ଯାଉଛି । ଏନସିବି ଯେକୌଣସି ସମୟରେ କରଣଙ୍କ ନିକଟକୁ ସମନ ପଠାଇପାରେ | ୨୦୧୯ରେ ସାମ୍ନାକୁ ଆସିଥିବା ଏକ ଭିଡିଓ ବିଷୟରେ ପ୍ରଶ୍ନ କରିବା ପାଇଁ କରଣ ଜୋହରଙ୍କୁ ଡକା ଯାଇପାରେ।

ଏନସିବି ସୂତ୍ରରୁ ପ୍ରକାଶ ଯେ ରକୁଲ ପ୍ରୀତଙ୍କୁ ପଚରାଉଚରା ବେଳେ ୨୦୧୯ରେ କରଣ ଜୋହରଙ୍କ ପାର୍ଟି ବିଷୟରେ କିଛି ସୂଚନା ମିଳିଛି। ଏହାପରେ କେପିଏସ୍ ମାଲହୋତ୍ରା ପଚରାଉଚରା ପାଇଁ ଏନସିବି ଜୋନାଲ ଅଫିସରେ ପହଞ୍ଚିଥିଲେ। ବର୍ତ୍ତମାନ ଏନସିବିର କେପିଏସ୍ ମାଲହୋତ୍ରା ଏବଂ ସମୀର ୱାନ‌ଖେଡେ ରକୁଲ ପ୍ରୀତ ସିଂ ଏବଂ ଧର୍ମା ପ୍ରଡକସନର କାର୍ଯ୍ୟନିର୍ବାହୀ ନିର୍ମାତା କ୍ଷିତିଜ ପ୍ରସାଦଙ୍କୁ ଭିଡିଓ ପ୍ରସଙ୍ଗରେ ପଚରାଉଚରା କରୁଛନ୍ତି। ଏନସିବି ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଲାଗିଛି ବୋଲି ଜଣାପଡିଛି। ଏହି ସୂଚନା ଅନୁଯାୟୀ କ୍ଷିତଜ ପ୍ରସାଦ କିଛି ଡ୍ରଗ୍ ବେପାରୀଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଜଣାପଡ଼ିଛି।