ଆଠଗଡ : ରାଜାରାଜୁଡା ଅମଳରୁ ଚାଲିଆସିଥିବା ଆଠଗଡ ଗଡଜାତର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଫିକା ପଡିଯାଇଥିଲା। ଶୁକ୍ରବାର ଅନୁଷ୍ଠିତ ଏହି ପଞ୍ଚୁଦୋଳ ଯାତ୍ରାରେ ବାଜା, ବାଣ, ରୋଷଣୀ, ଲଉଡି ଖେଳ ଓ ସଂକୀର୍ତ୍ତନ ବିନା କେବଳ ଘଣ୍ଟ ବାଦ୍ୟ ସହିତ ନିରାଡମ୍ବର ଭାବେ ମାତ୍ର ୧୦ଟି ବିମାନକୁ ନେଇ ଶୋଭାଯାତ୍ରା ହୋଇଥିଲା। ଆଠଗଡର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାରେ ସହର ତଥା ଆଖପାଖ ଅଞ୍ଚଳର ୫୦ରୁ ଉର୍ଦ୍ଧ୍ବ ବିମାନ ଯୋଗ ଦେଇଥାନ୍ତି। ତେବେ କରୋନା କଟକଣା ଯୋଗୁଁ ଏହାକୁ ୧୦ ମଧ୍ୟରେ ସୀମିତ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଆଠଗଡ ସହରର ଶ୍ରୀ ରାଧାଗୋବିନ୍ଦ ଜୀୟୁ, ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବ, ଶ୍ରୀ ରଘୁନାଥ ଦେବ, ଶ୍ରୀ ଲକ୍ଷ୍ମୀନୃସିଂହ ଦେବ, ଶ୍ରୀ ସ୍ୱପ୍ନେଶ୍ୱର ଦେବ, ଶ୍ରୀ କାଶୀବିଶ୍ୱନାଥ ଦେବ, ଶ୍ରୀ ରାଧାରସିକ ଦେବ, ଶ୍ରୀ ଶ୍ରୀ ଧବଳେଶ୍ୱର ଦେବ, ଶ୍ରୀ ସର୍ପେଶ୍ୱର ଦେବ, ଓ ରାଧାଗୋବିନ୍ଦପୁରର ରାଧାଗୋବିନ୍ଦ ଜୀୟୁଙ୍କ ବିମାନ ଯୋଗ ଦେଇଥିଲେ। ଶ୍ରୀ ରାଧାଗୋବିନ୍ଦ ମନ୍ଦିର ନିକଟସ୍ଥ ମେଳଣ ପଡିଆରା ରାତି ପ୍ରାୟ ୯.୩୦ମିନିଟରେ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରି ବିମାନ ଗୁଡିକ ଶୋଭାଯାତ୍ରାରେ ଯାଇ ସହର ପରିକ୍ରମା କରିବା ପରେ ଦୁର୍ଗାବଜାରସ୍ଥିତ ଦୋଳମଣ୍ଡପ ନିକଟରେ ରାତ୍ରି ବିଶ୍ରାମ ନେଇଥିଲେ। ସକାଳେ ସେଠାରୁ ବିମାନ ଗୁଡିକ ଶ୍ରୀ ରାଧାଗୋବିନ୍ଦ ଜୀୟୁ ମନ୍ଦିରକୁ ଯାଇ ସେଠାରେ ଭେଟ ଭୋଗ ଲାଗୁ ହେବା ପରେ ପୁଣି ଶୋଭାଯାତ୍ରାରେ ବିମାନଗୁଡିକ ପୁରୁଣା ବସ୍ଷ୍ଟାଣ୍ଡ ସ୍ଥିତ ଯଜ୍ଞନାରାୟଣ ମନ୍ଦିର ପରିସରକୁ ଆସିଥିଲେ। ସେଠାରେ ବିମାନରୂଢ ଶ୍ରୀ ଜୀୟୁମାନଙ୍କୁ ରାଜଭୋଗ ଲାଗି କରାଯାଇଥିଲା।