ଭାଇର ଟ୍ୟୁସନ ଫି ଛାଡ଼ ପାଇଁ ଭଉଣୀଙ୍କୁ ବଳାତ୍କାର ମାମଲା : ବିଦ୍ୟାଳୟ ମାଲିକଙ୍କୁ ୧୦ ବର୍ଷ ଜେଲଦଣ୍ଡ

0

ଭୁବନେଶ୍ୱର, ୧୪/୧୨ : ଭାଇର ଟ୍ୟୁସନ ଫି ଛାଡ଼ ପାଇଁ ଭଉଣୀଙ୍କୁ ବଳାତ୍କାର ମାମଲାର ଆଜି ରାୟ ପ୍ରକାଶ ପାଇଛି । ରାଉରକେଲା ଫାଷ୍ଟଟ୍ରାକ ଅଦାଲତ ବିଦ୍ୟାଳୟର ମାଲିକ ତଥା ଅଧ୍ୟକ୍ଷ ବିଭୂତି ଭୂଷଣ ଗୁପ୍ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଅପରାଧୀ ଉପରେ ସାଢ଼େ ୫ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ଏହି ଜୋରିମାନା ଅର୍ଥ ପୀଡ଼ିତାକୁ ଦେବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧ୍ୟକ୍ଷ ଆଉ ଅଧିକ ଅଢ଼େଇ ବର୍ଷ କାରାଦଣ୍ଡ ଭୋଗିବ ବୋଲି ବିଚାରପତି ସ୍ପଷ୍ଟ କରିଛନ୍ତି। ୨୦୧୯ଡିସେମ୍ବର ୮ରେ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ବି ଅଞ୍ଚଳରେ ବିଭୂତି ଭୂଷଣ ବନ୍ଧମୁଣ୍ଡା ଜ୍ଞାନୋଦୟ ବିଦ୍ୟାଳୟ ଖୋଲି ନିଜେ ଅଧ୍ୟକ୍ଷ ଥିଲେ। ଏହାସହ ବିଭୂତି ବନ୍ଧମୁଣ୍ଡା ବିଜେଡ଼ି ମଣ୍ଡଳ ସଭାପତି ଥିଲେ।

ଜ୍ଞାନଦୋୟ ବିଦ୍ୟାଳୟରେ ସେହି ଅଞ୍ଚଳର ଜନୈକ ବାଳକ ଦଶମ ଶ୍ରେଣୀରେ ପଢ଼ୁଥିଲେ। ବୋର୍ଡ଼ ପରୀକ୍ଷା ପାଇଁ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ଆଡମିଟ କାର୍ଡ଼ ନେଇଯାଇଥିଲେ। ମାତ୍ର ସ୍କୁଲ ଫି ବାକି ଥିବାରୁ ଜନୈକ ବାଳକଙ୍କୁ ଅଧ୍ୟକ୍ଷ ବିଭୂତି ଆଡ଼ମିଟ କାର୍ଡ଼ ଦେଇ ନ ଥିଲା। ଛାତ୍ରର ଭଉଣୀ (୨୦ବର୍ଷ) ସେହି ସ୍କୁଲରେ ପୂର୍ବରୁ ପାଠ ପଢ଼ିଥିଲେ। ତେଣୁ ସେ ଭାଇକୁ ସାଙ୍ଗରେ ନେଇ ସ୍କୁଲ ମାଲିକ ବିଭୂତିକୁ ସାକ୍ଷାତ କରିଥିଲେ। ବକେୟା ଟଙ୍କା ନ ଦେଲେ ଆଡମିଟ୍‌ କାର୍ଡ଼ ମିଳିବ ନାହିଁ ବୋଲି ବିଭୂତି ରୋକଠୋକ ମନା କରି ଦେଇଥିଲା। କିନ୍ତୁ ଗତ ୦୮/୧୨/୨୦୧୯ ତାରିଖରେ ସ୍କୁଲ ଛୁଟି ପରେ ବିଭୂତି ପୀଡ଼ିତାଙ୍କୁ ଫୋନ କରି ଆଡମିଟ କାର୍ଡ଼ ନେଇ ଯା, ପରେ ଟଙ୍କା ଦେବୁ ବୋଲି କହି ସ୍କୁଲକୁ ଡକାଇଥିଲା। ଯୁବତୀ ସେଠାରେ ପହଞ୍ଚିଲା ପରେ ଅଫିସ କବାଟ ଭିତର ପଟୁ ବନ୍ଦ କରି ବିଭୂତି ଜୋରଜବରଦସ୍ତ ବଳାତ୍କାର କରିଥିଲା। ଘଟଣା ସମ୍ପର୍କରେ ଯୁବତୀ ପରିବାର ଲୋକଙ୍କୁ କହିଥିଲେ। ବନ୍ଧମୁଣ୍ଡା ଥାନାରେ ଏ ନେଇ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ରାଉରକେଲା ଫାଷ୍ଟଟ୍ରାକ କୋର୍ଟର ବିଚାରପତି ପି.ସୂର୍ଯ୍ୟ ରାଓ ସରକାରଙ୍କ ପକ୍ଷରୁ ୨୧ ଜଣ ଓ ମୁଦାଲାଙ୍କ ପକ୍ଷରୁ ୪ ଜଣ ସାକ୍ଷୀଙ୍କ ବୟାନ ଏବଂ ପାରିପାର୍ଶ୍ବିକ ଘଟଣାବଳୀକୁ ବିଚାର କରି ଅଭିଯୁକ୍ତ ବିଭୂତି ଗୁପ୍ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ।

Leave A Reply

Your email address will not be published.