ଆଫଗାନିସ୍ତାନରେ ଭୂମିକମ୍ପ, ୧୩ ମିନିଟ ପରେ ହଲିଲା ପାକିସ୍ତାନ

ନୂଆଦିଲ୍ଲୀ, ୨୪/୯ : ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଆଜି ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ପ୍ରାୟ ୨୩୭ କିଲୋମିଟର ଦୂରରେ ଉତ୍ତର-ପୂର୍ବ ଦିଗରେ ସକାଳ ୫.୩୩ରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ପୁନଶ୍ଚ, ପାକିସ୍ତାନର ରାଜଧାନୀ ଇସଲାମାବାଦଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ପଶ୍ଚିମ ଦିଗରେ ସକାଳ ୫.୪୬ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ରିପୋର୍ଟ କରିଛି ଯେ ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପର ମାତ୍ରା ରିଚ୍ଟର ସ୍କେଲରେ ୪.୨ ଥିବାବେଳେ ପାକିସ୍ତାନରେ ତୀବ୍ରତା ୪.୩ ରହିଛି।

ତେବେ ଭୂକମ୍ପରେ କ୍ଷୟକ୍ଷତି ହୋଇଥିବାର କୌଣସି ସୂଚନା ମିଳିନାହିଁ । ବିଗତ କିଛି ମାସ ମଧ୍ୟରେ ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନରେ ଅନେକ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।