ନୂଆଦିଲ୍ଲୀ, ୦୪/୧୦ :ଥରିଲା ଇଣ୍ଡୋନେସିଆ । ରବିବାର ସକାଳେ ଭୂମିକମ୍ପରେ ଥରିଛି ଏହି ଦେଶ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ବୋଲି ଜଣା ପଡିଛି । ଆଜି ସକାଳ ୫ଟା ୦୭ରେ ଇଣ୍ଡୋନେସିଆ ମାଟି ଥରିଥିଲା । ଲୋକେ ଶୋଇଥିବା ବେଳେ ଝଟକା ଲାଗିଥିଲା । ଫଳରେ ସେମାନେ ଘରୁ ବାହାରକୁ ଚାଲି ଆସିଥିଲେ । ତେବେ ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୦କିଲୋମିଟର ଭିତରେ ଥିବା ଜଣା ପଡିଛି । ଭୂକମ୍ପ ନେଇ ନ୍ୟାଶନାଲ୍ ସେଣ୍ଟର ଫର୍ ସିସମୋଲୋଜି ସୂଚନା ପ୍ରଦାନ କରିଛି । ଏହି ଏଜେନ୍ସି ଭୂମିକମ୍ପ ଏବଂ ଏହାର ତୀବ୍ରତା ଉପରେ ନଜର ରଖିଥାଏ । ତେବେ ଏହାର ତୀବ୍ରତା ଏବଂ ଗଭୀରତା ଝଟକାର ପ୍ରଭାବ ବୁଝିବାରେ ସହାୟକ ହୋଇଥାଏ । ଅନ୍ୟ ଦିଗରେ ଝଟକାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହି । କିନ୍ତୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଘରୁ ବାହାରି ଆସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । କାଁ ଭାଁ କିଛି ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।