ପୂଜାପାଠ, ବିବାହ, ପର୍ବପର୍ବାଣୀ ଏବଂ ଅତିଥି ସତ୍କାରରେ ପାନର ବ୍ୟବହାର ଦୀର୍ଘ ଦିନ ଧରି ହୋଇଆସୁଛି । କେବଳ ପରମ୍ପରା ନୁହେଁ, ପାନ ପତ୍ରରେ କିଛି ଏମିତି ପ୍ରାକୃତିକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇପାରେ । ଆୟୁର୍ବେଦରେ ମଧ୍ୟ ପାନ ପତ୍ରର ଔଷଧୀୟ ଗୁଣ ବିଷୟରେ ଉଲ୍ଲେଖ କରାଯାଇଛି । ପାନ ପତ୍ରରେ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଇନଫ୍ଲୋମେଣ୍ଟାରୀ ଗୁଣ ରହିଛି । ଭୋଜନ ପରେ ସାଧା ପାନ ଖାଇଲେ ହଜମ ପ୍ରକ୍ରିୟାରେ ସାହାଯ୍ୟ ମିଳିପାରେ। ଏହା ଲାଳର ପରିମାଣ ବଢ଼ାଇ ଖାଦ୍ୟକୁ ସହଜରେ ହଜମ କରିବାରେ ସହାୟକ କରେ । ଏହା ସହ ମୁହଁର ଦୁର୍ଗନ୍ଧ କମାଇବା ପାଇଁ ମଧ୍ୟ ପାନ ସାହାଯ୍ୟକାରୀ ହୋଇପାରେ । ତେଣୁ ଖାଇବା ପରେ ପାନ ଖାଇବା ଦ୍ବାରା ଅନେକ ଲାଭ ମିଳିଥାଏ । ତେବେ ଖାଦ୍ୟ ଖାଇବା ପରେ ପାନ ଖାଇଲେ କେଉଁ ସବୁ ଚମତ୍କାର ଲାଭ ଆମକୁ ମିଳିଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ପାଚନ କ୍ରିୟାକୁ ଉନ୍ନତ କରେ : ଭୋଜନ ପରେ ଅନେକ ଲୋକ ପାନ ଖାଇବାକୁ ପସନ୍ଦ କରନ୍ତି । ଏହା ଖରାପ ଅଭ୍ୟାସ ନୁହେଁ ବରଂ ଆମ ପାଇଁ ଖୁବ୍ ଉପକାରୀ । ପାନ ପତ୍ର ଚୋବାଇବା ସମୟରେ ମୁହଁରେ ଲାଳର ପରିମାଣ ବଢ଼ିବାରୁ ହଜମ ପ୍ରକ୍ରିୟାକୁ ସହଜ କରିବା ସହ ପାଚନ ପ୍ରକ୍ରିୟାକୁ ଉନ୍ନତ କରେ । ଏହା ଖାଇବା ଦ୍ବାରା ପେଟ ଭାରି ଲାଗିବା, ଗ୍ୟାସ୍ ଭଳି ସମସ୍ୟାକୁ କିଛି ପରିମାଣରେ କମାଯାଇପାରିବ ।
ମୁଖ ଦୁର୍ଗନ୍ଧ ଦୂର କରେ: ପାନରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଏହି ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଖାଇବା ପରେ ପାନ ଖାଇବାର ଅଭ୍ୟାସ କରନ୍ତୁ । ଏହା ସଂକ୍ରମଣରୁ ରକ୍ଷା କରିଥାଏ । ଏଥିସହ ପାନ ଓରାଲ ସ୍ବାସ୍ଥ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏହି ସବୁ ସମସ୍ୟାକୁ ଦୂର କରିବା ସହ ପାନ ମାଉଥ୍ ଫ୍ରେସନର ଭାବେ କାମ କରେ । ତେଣୁ ତମାଖୁ ଏବଂ ଗୁଟକା ବଦଳରେ ଖାଇବା ପରେ ପାନ ଖାଆନ୍ତୁ । ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ । ଚାପକୁ ନିୟନ୍ତ୍ରଣ କରେ : ଯଦି ଆପଣ ପ୍ରତିଦିନ ଖାଇବା ପରେ ପାନପତ୍ର ଚୋବାନ୍ତି , ତେବେ ଏହା ଆପଣଙ୍କ ମନକୁ ପ୍ରସନ୍ନ ରଖିଥାଏ । ଏହା ମସ୍ତିଷ୍କକୁ ଶାନ୍ତ କରିବାରେ ମଧ୍ୟ ସାହାଯ୍ୟ କରେ । ପାନପତ୍ର ଖାଇବା ଦ୍ବାରା ମାନସିକ ଚାପକୁ ନିୟନ୍ତ୍ରଣରେ ରଖାଯାଇପାରିବ ।
ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ : ଭୋଜନ ପରେ ପାନ ଖାଇବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରାଯାଇପାରେ । ଏହା ମଧୁମେହ ରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ । ଏହା ସହିତ ଏହା ଆମକୁ ଅଲସର ଭଳି ଗମ୍ଭୀର ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । କିନ୍ତୁ ଅଧିକ ମିଠା ପାନ ଖାଇବା ଦ୍ବାରା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ଏଥିପ୍ରତି ସଚେତନ ରୁହନ୍ତୁ । ଏହା ବ୍ୟତୀତ ପାନରେ ଟାନିନ୍ ଏବଂ ପ୍ରୋପେନ୍ ଥାଏ । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଫଳରେ ଏହା ଆମ ଶରୀରକୁ ସୁସ୍ଥ ରଖେ ।
