ନୂଆଦିଲ୍ଲୀ, ୦୧/୦୮ : ଭାରତର ନିର୍ବାଚନ ଆୟୋଗ ଆଜି ବିହାରର ଚିଠା ଭୋଟର ତାଲିକା ପ୍ରକାଶ କରିବାକୁ ଯାଉଛନ୍ତି। ଚିଠା ଭୋଟର ତାଲିକା ଉଭୟ ଡିଜିଟାଲ ଓ ଫିଜିକାଲ ଭାବେ ପ୍ରକାଶ କରାଯିବ। ଏହି ଚିଠା ତାଲିକାକୁ ରାଜ୍ୟର ସମସ୍ତ ପଞ୍ଜୀକୃତ ରାଜନୈତିକ ଦଳକୁ ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ଗୁରୁବାର କହିଛନ୍ତି। ଭୋଟର ସର୍ଭିସ ପୋର୍ଟାଲରେ ସିଇସି ଜାରି କରିଥିବା ବାର୍ତ୍ତାରେ ଲେଖିଛନ୍ତି ଯେ ଏସଆଇଆର ନିର୍ଦେଶର ପାରା ୭(୪) ଅନୁଯାୟୀ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଏହି ଭୋଟର ତାଲିକା ୱେବସାଇଟ୍ https://voters.eci.gov.in ରେ ଉପଲବ୍ଧ ହେବ। ଚିଠା ଭୋଟର ତାଲିକାରୁ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡିଥାଏ ତେବେ ସେ ସମ୍ପର୍କରେ ସମ୍ପୃକ୍ତ ଭୋଟର କିମ୍ବା ରାଜନୈତିକ ଦଳଙ୍କ ପକ୍ଷରୁ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ। ଅଭିଯୋଗ ଆଧାରରେ ଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରେ ସଂଯୁକ୍ତ କରାଯିବ। ସେହିପରି ଯଦି କୌଣସି ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ଥିବ ତେବେ ଏହାକୁ ବାଦ୍ ଦେବାକୁ ମଧ୍ୟ ଆବେଦନ କରାଯାଇପାରିବ। କୌଣସି ଭୋଟରଙ୍କ ନାମ ବା ଅନ୍ୟ ତଥ୍ୟଗତ ତ୍ରୁଟି ଥିଲେ ତାକୁ ମଧ୍ୟ ସଂଶୋଧନ କରାଯିବ। ବିହାର ଭୋଟର ତାଲିକାର ସ୍ବତନ୍ତ୍ର ସମୀକ୍ଷା କାର୍ଯ୍ୟ (ଏସ୍ଆଇଆର) ପାଇଁ ଜୁନ ୨୪ରୁ ଜୁଲାଇ ୨୫ ପର୍ଯ୍ୟନ୍ତ ସମସ୍ତ ବୁଥ ସ୍ତରରେ ଅଭିଯାନ ଚାଲିଥିଲା। ଏହି ଅଭିଯାନରେ ରାଜ୍ୟର ୭.୮୯ କୋଟି ଭୋଟରଙ୍କ ମଧ୍ୟରୁ ୭.୨୪ କୋଟି ଭୋଟର ନିଜର ତଥ୍ୟ ପ୍ରଦାନ କରିଥିଲେ। ତେଣୁ ଚିଠା ଭୋଟର ତାଲିକାରେ ପ୍ରାୟ ୬୫ ଲକ୍ଷ ଭୋଟର ବାଦ୍ ପଡିଥିବା ଅନୁମାନ କରାଯାଇଛି।