ଭୁବନେଶ୍ୱର : ଏକାମ୍ର ବରିଷ୍ଠ ନାଗରିକ ସଙ୍ଘର ଚତୁର୍ଥ ବାର୍ଷିକ ଉତ୍ସବ ଲୁଇସ ରୋଡ଼ ସ୍ଥିତ କେଦାରଗୌରୀ ରିସୋଟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆମ ଓଡ଼ିଶା ପରିବାରର ଶ୍ରୀ ଅରୁପ ପଟ୍ଟନାୟକ, ସାଂସଦ ପଦ୍ମବିଭୂଷଣ ଶ୍ରୀ ରଘୁନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ହୃଷିକେଶ ତ୍ରିପାଠୀ, ସମ୍ପାଦକ ଶ୍ରୀ ଧୀରେନ ପଟ୍ଟନାୟକ ଓ ଉପଦେଷ୍ଟା ରାଜେନ୍ଦ୍ର ସାମର୍ଥା ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘ ପକ୍ଷରୁ ଏହି ସଭାରେ ‘ଏକାମ୍ର ସାରଥୀ’ ପତ୍ରିକା ଓ ସଂଘର ଏକ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା । ମାଟ୍ରିକ ପରୀକ୍ଷରେ ଭଲ ନମ୍ବର ରଖି ପାସ କରିଥିବା ସାତଟି ସ୍କୁଲର ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଓ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲା ।