ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଆଜି ସନ୍ଧ୍ୟା ୭ଟା ୩୦ରେ ଶପଥ ନେବେ ଏକନାଥ ସିନ୍ଦେ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍ । ଫଡନାଭିସ୍ କହିଛନ୍ତି ଯେ, ଶପଥ ସମାରୋହ ପରେ କ୍ୟାବିନେଟ୍ ବିସ୍ତାର କରାଯିବ। ପରବର୍ତ୍ତୀ ସମୟରେ ଶିବସେନା ଏବଂ ବିଜେପି ନେତା ମନ୍ତ୍ରୀ ପଦର ଶପଥ ନେବେ। ମୁଁ ରାଜ୍ୟ ସରକାରରୁ ବାହାରେ ରହିବି ବୋଲି କହିଛନ୍ତି ଫଡନାଭିସ୍। ସେ କହିଛନ୍ତି ଯେଉଁମାନେ ହିନ୍ଦୁତ୍ଵ ଏବଂ ବୀର ସଭରକରଙ୍କୁ ବିରୋଧ କରନ୍ତି ଶିବସେନା ତାଙ୍କ ସହ ମେଣ୍ଟ କରିଥଲା। ଶିବସେନା ରାଜ୍ୟବାସୀଙ୍କ ଜନାଦେଶକୁ ଅପମାନ କରିଥିଲା। ଜନତା ମହାବିକାଶ ଅଘାଡିକୁ ଭୋଟ୍ ଦେଇନଥିଲେ। ନିର୍ବାଚନରେ ବିଜେପି ସବୁଠୁ ବଡ ପାର୍ଟି ଥିଲା ବୋଲି ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି।
ଏହା ସହ ସେ ପୁଣି କହିଛନ୍ତି ଯେ, ‘ଏକନାଥ ସିନ୍ଦେଙ୍କ ନିକଟରେ ଶିବସେନାର ଅଧିକାଂଶ ବିଧାୟକଙ୍କ ସମର୍ଥନ ରହିଛି। ବିଜେପି ଏବଂ ୧୬ ଅନ୍ୟ ନିର୍ଦ୍ଦଳୀୟ ବିଧାୟକ ସିନ୍ଦେଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛୁ। ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ବାଲା ସାହେବ ଠାକରେଙ୍କ ବିଚାରଧାରାକୁ କଣଠେସା କରିଥିଲା। ମହାରାଷ୍ଟ୍ର ଇତିହାସରେ ପ୍ରଥମ ତର ସରକାରଙ୍କ ଦୁଇ ଦୁଇ ମନ୍ତ୍ରୀ ଜେଲରେ ଅଛନ୍ତି। ଏହା ପୂର୍ବରୁ ଏମିତି କେବେ ବି ଘଟିନଥିଲା। ବାଲାସାହେବ ସର୍ବଦା ଦାଉଦକୁ ବିରୋଧ କରି ଆସିଥିଲେ। କିନ୍ତୁ ଉଦ୍ଧବ ସରକାରଙ୍କ ମନ୍ତ୍ରୀ ଦାଉଦଙ୍କ ସହ ସଂପର୍କ ରଖିଚାଲିଲେ। ଜେଲ୍ ଯିବା ପରେ ବି ସେମାନଙ୍କୁ ମନ୍ତ୍ରୀ ପଦରୁ ହଟାଗଲା ନାହିଁ। ଏହା ବାଲା ସାହେବଙ୍କ ଅପମାନ। ଶେଷ ମୁହୂର୍ତ୍ତରେ ହିଁ ସମ୍ଭାଜୀନଗର କରାଯାଇଛି।’