କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିସନ ଦାୟୀ : ମାଡ୍ରାସ ହାଇକୋର୍ଟ

ଚେନ୍ନାଇ,୨୭ /୪ : ଦେଶରେ କରୋନା ସଂକ୍ରମଣ ଆଜି ଯେଉଁ ଭୟଙ୍କର ରୂପ ନେଇଛି ସେଥିପାଇଁ କେବଳ ଭାରତର ନିର୍ବାଚନ କମିସନ ହିଁ ଦାୟୀ। କମିସନଙ୍କ ଦାୟିତ୍ବହୀନ ଆଚରଣ ପାଇଁ ଏହା ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଉଚିତ। କୋଭିଡ ପ୍ରୋଟୋକଲ ଉଲ୍ଲଂଘନ କରି ରାଜନୈତିକ ଦଳମାନେ ବିଶାଳ ରାଲି ଆୟୋଜନ କରୁଥିବା ବେଳେ ନିର୍ବାଚନ କମିସନ ନିରବ ରହିବା ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହିତ ଏହିଭଳି ଭର୍ତ୍ସନା କରିଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ‌କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ରାଜନୈତିକ ଦଳମାନେ ସମାବେଶ, ଶୋଭାଯାତ୍ରା କରିବାରୁ ଲୋକମାନଙ୍କ ଜୀବନ ବିପଦରେ ପଡ଼ିଲା। ଏହାକୁ ଅଟକାଇବା ଲାଗି କମିସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏବେ କ‌ରୋନାର ଯେଉଁ ଦ୍ବିତୀୟ ଲହର ଚାଲିଛି ଏଥିପାଇଁ କେବଳ ନିର୍ବାଚନ କମିସନ ନାମକ ଅନୁଷ୍ଠାନ ହିଁ ଦାୟୀ। ଏଭଳି ରାଲିକୁ ଅଟକାଇବା ଲାଗି କମିସନର କ୍ଷମତା ରହିଛି, କିନ୍ତୁ ଏହାର ପ୍ରୟୋଗ କଲେନାହିଁ। ନିର୍ବାଚନ ପରିଚାଳନା କରୁଥିବା ଏହି ସଂସ୍ଥା ନିର୍ବାଚନ ରାଲି ଆୟୋଜନ ହେଉଥିବା ବେଳେ ଅଲଗା ଗ୍ରହରେ ଥିଲା କି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି? ରାଲିରେ କୋଭିଡ ନିୟମ ଅନୁସରଣ କରିବା ଲାଗି କୋର୍ଟ ବାରମ୍ବାର ସତର୍କ କରାଇଥିଲେ ମଧ୍ୟ କମିସନ ଚୁପ ବସିଲା। ଏହାର ସୁଯୋଗ ନେଇ ଦଳମାନେ ବଡ଼ ବଡ଼ ରାଲି କରିବାକୁ ପଛାଇଲେ ନାହିଁ। ଫଳରେ ଆଜି ଦେଶରେ କରୋନା ଭୟଙ୍କର ରୂପ ଧାରଣ କରିଛି। ଏଥିପାଇଁ କମିସନ ଅଧିକାରୀମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଉଚିତ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ସଂଜୀବ ବାନାର୍ଜୀ ଓ ବିଚାରପତି ସେନ୍ଥିଲକୁମାର ରାମମୂର୍ତ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି।