ନୂଆଦିଲ୍ଲୀ : ଆଗାମୀ ମାସରେ ହେବାକୁଥିବା ଉପନିର୍ବାଚନଗୁଡ଼ିକ ସମ୍ପର୍କରେ ବିଭିନ୍ନ ରାଜ୍ୟରୁ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ନିର୍ବାଚନ କମିଶନର । ମଙ୍ଗଳବାର ଏ ସମ୍ପର୍କରେ କମିଶନ ପକ୍ଷରୁ ବିଭିନ୍ନ ରାଜ୍ୟକୁ ରିପୋର୍ଟ ମଗାଯାଇଛି । କରୋନା ସଂକ୍ରମଣ ମଧ୍ୟରେ ଉପନିର୍ବାଚନଗୁଡ଼ିକୁ ଶୃଙ୍ଖଳିତ ଭାବରେ ଶେଷ କରିବା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ଓ କି ପ୍ରସ୍ତୁତି କରାଯାଇଛି ସେ ସମ୍ପର୍କରେ ୩ ଦିନ ମଧ୍ୟରେ ରିପୋଟ ଦେବା ପାଇଁ କୁହାଯାଇଛି । ସଂପୃକ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ନିର୍ବାଚନ ପ୍ରଚାର ଓ ମତଦାନ ନିମନ୍ତେ ସମଗ୍ର ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ମାସରେ ଗୋଟିଏ ଲୋକସଭା ଆସନ ସହ ପ୍ରାୟ ୬୦ରୁ ଅଧିକ ବିଭିନ୍ନ ରାଜ୍ୟର ବିଧାନସଭା ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାମଧ୍ୟରୁ ମଧ୍ୟପ୍ରଦେଶରେ ୨୬, ଗୁଜରାଟରେ ୧୦, ତେଲଙ୍ଗାନାର ୧, ତାମିଲନାଡ଼ୁରେ ୩, ଉତ୍ତରପ୍ରଦେଶରେ ୬, ଓଡ଼ିଶାରେ ୨ ଓ ପଶ୍ଚିମବଙ୍ଗରେ ୫ଟି ବିଧାନସଭା ଆସନ ଅନ୍ତର୍ଭୁକ୍ତ ।