ହାତୀ ଲଢ଼େଇରେ ହସ୍ତକ୍ଷ୍ୟେପ କରି ଯୁବକର ମୃତ୍ୟୁ

ରାଉରକେଲା,୧୬/୧୧ : ସୁନ୍ଦରଗଡ଼ ଜିଲ୍ଳା ଲାଠିକଟା ବ୍ଲକ ଅନ୍ତର୍ଗତ ଏରଗେଡ଼ା ଗ୍ରାମରେ ରବିବାର ପୂର୍ବାହ୍‌ଣରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମ ନିକଟରେ ଦୁଇଟି ଦନ୍ତା ହାତୀ ଲଢ଼େଇ କରୁଥିବା ବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇଥିବା ଜଣେ ଯୁବକଙ୍କୁ ଉତ୍ତେଜିତ ହାତୀ ଆକ୍ରମଣ କରିଛି। ହାତୀର ଏହି ଆକ୍ରମଣରେ ସଂପୃକ୍ତ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମାଙ୍ଗରା ତିର୍କୀ (୪୦)। ଏନେଇ ଗାଁ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ଏବଂ ସେମାନେ ନିଷ୍ଫଳ ହୋଇଥିଲେ।

ତେବେ ହାତୀମାନେ ଘଟଣାସ୍ଥଳରେ ଉଗ୍ରରୂପ ଦେଖାଇଥିଲେ। ସେମାନେ ହିଂସ୍ର ରୂପ ଧାରଣ କରି ଲୋକଙ୍କୁ ଗୋଡ଼ାଇଥିଲେ। ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଯୁବକ ଜଣକ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପାଖରେ ଲୁଚିଥିଲେ। କିନ୍ତୁ ସେମାନେ ହାତୀମୁହଁରୁ ବର୍ତ୍ତିପାରି ନଥିଲେ। ୨ଟି ଦନ୍ତା ନିଜ ରାଗ ସମ୍ଭାଳି ନପାରି ସେହି ଯୁବକଙ୍କୁ ଆକ୍ରମଣ କରିଥିଲେ। ଏକ ପିକ୍‌ଅପ୍‌ ଭ୍ୟାନକୁ ଓଲଟାଇ ଦେଇ ନିଜ ଦାନ୍ତରେ କଣା କରି ପକାଇଲେ।ଏନେଇ ବନ ବିଭାଗ ବନ୍ଧମୁଣ୍ଡା ଓ ପାନପୋଷ ଅଞ୍ଚଳର ଅଧିକ ବନ କର୍ମଚାରୀଙ୍କୁ ଡକାଇ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖୁଛି।