ଖୋର୍ଦ୍ଧା,୨୩ /୧: ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଦଳେଇପୁଟ ଛକ ନିକଟରେ ଆଜି ସକାଳେ ଦୁଇଟି ଦନ୍ତା ହାତୀ ବୁଲିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଆଜି ସକାଳ ପ୍ରାୟ ୬ଟା ବେଳେ ଦୁଇଟି ଦନ୍ତା ହାତୀ ରାଜପଥର ଦଳେଇପୁଟ ନିର୍ମାଣଧୀନ ଓଭରବ୍ରିଜ୍ ନିକଟରେ ପହଂଚିଯାଇଥିଲେ। ପ୍ରାୟ ୧ ଘଣ୍ଟା ଧରି ସେହି ସ୍ଥାନରେ ବୁଲିଥିଲେ। ତେବେ ହାତୀଙ୍କୁ ଏଭଳି ରାଜପଥରେ ବୁଲୁଥିବା ଦେଖି ଆଖାପାଖର ବାସିନ୍ଦା, ରାଜପଥରେ ଯାଉଥିବା ମୋଟରସାଇକଲ, ଟ୍ରକ୍, କାର୍ ଚାଳକଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି ହୋଇଥିବା ବେଳେ କେତେକ ଭୟରେ ବାଇକ୍, କାର୍ ଛାଡ଼ି ଦୌଡ଼ିପଳାଇଯାଉଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଖୋର୍ଦ୍ଧା ବନାଂଚଳ କର୍ମଚାରୀ ଓ ଅଧିକାରୀ ସେଠାରେ ପହଂଚି ହାତୀମାନଙ୍କୁ ନିକଟସ୍ଥ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦେଇଥିଲେ।