ବାଇ-ଲ ପ୍ରତ୍ୟାହାର ଦାବି : କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, ୧୬ରେ ଘଣ୍ଟ ବାଡେଇ ପ୍ରତିବାଦ କରିବ ସେବାୟତ ସଂଘ

ଭୁବନେଶ୍ଵର, ୧୩/୨: ଜାତୀୟ ସ୍ମାରକୀ ପ୍ରାଧୀକରଣ ବା ଏନ.ଏମ.ଏ.ର ଏକାମ୍ର କ୍ଷେତ୍ର ସମ୍ବଳିତ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ଦାବି ଦିନକୁ ଦିନ ତେଜିବାରେ ଲାଗିଛି । ଲିଙ୍ଗରାଜ ମନ୍ଦିର ସାମ୍ନାରେ ସମୂହ ଦୀପ ଦାନ ଓ ମୁଖ୍ୟମନ୍ତ୍ରୀଙ୍କ ଟ୍ୟୁଟ୍ ପରେ ଆଜି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ବାଇ-ଲ ପ୍ରତ୍ୟାହର କରିବାକୁ ଦାବି କରିଛନ୍ତି । ସେପଟେ ଗତକାଲି ଦୀପ ଜାଳି ପ୍ରତିବାଦ କରିଥିବା ସେବାୟତ ସଂଘ ବାଇଲ ପ୍ରତ୍ୟାହାର ନହେଲେ ୧୬ରେ ଘଣ୍ଟ ବାଡେଇ ପ୍ରତିବାଦ କରିବ ବୋଲି କହିଛି ।

ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ସହ ସଂପର୍କ ଥିବା ଅନନ୍ତ ବାସୁଦେବ ଏବଂ ବ୍ରହ୍ବେଶ୍ବର ମନ୍ଦିରରେ ଏନ.ଏମ.ଏ ଦ୍ବାରା ପ୍ରକାଶିତ ବାଇ-ଲ କୁ ପ୍ରତ୍ୟାହାର କରାଯାଉ ବୋଲି ସଂସଦରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ବିଜେଡି ସାଂସଦଙ୍କ ପ୍ରତିନିଧ ଦଳ ଏହି ଦାବି ଉଠାଇଛି । ଏନେଇ ସାଂସଦ ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ, ଏନ ଭାସ୍କର ରାଓ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଅନୁଭବ ମହାନ୍ତି ପ୍ରମ୍ମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ରଖିଛନ୍ତି । ସେପଟେ ବାଇ-ଲ ଲାଗୁ ହେଲେ ସେବାୟତ ପରିବାର ପ୍ରଭାବିତ ହେବା ଆଶଙ୍କା କରିଛନ୍ତି ସେବାୟତ । ବାଇ-ଲ ପ୍ରତ୍ୟାହାର ନହେଲେ ୧୬ ତାରିଖ ସକାଳ ୧୦ଟାରେ ୧୦ ମିନିଟ୍ ପାଇଁ ସେବାୟତମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି।