ଭୁବନେଶ୍ୱର, ୧୪/୧୨ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ସଂଧ୍ୟା ୫ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ମନ୍ତ୍ରୀମାନେ ମଧ୍ୟ ଅନଲାଇନରେ ଏହି ବୈଠକରେ ଭାଗ ନେବେ। ମୁଖ୍ୟ ସଚିବ ଓ ଅନ୍ୟ ଉଚ୍ଚ ଅଧିକାରୀମାନେ ସଚିବାଳୟରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରାୟ ୭ଟି ପ୍ରସ୍ତାବ ଉପରେ ମୋହର ଲଗେଇବାର ସମ୍ଭାବନା ରହିଛି ।
ଗତ ୪ ଦିନ ତଳେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିବାବେଳେ ସୋମବାର ବୈଠକକୁ ନେଇ ଉତ୍କଣ୍ଠା ବଢ଼ିଛି । ସମ୍ଭବତଃ ଏହି ବୈଠକରେ ରାଜ୍ୟ ସରକାର କିଛି ବଡ଼ ଘୋଷଣା କରିପାରନ୍ତି । ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରସ୍ତାବକୁ ମୋହର ଦେଇପାରେ କ୍ୟାବିନେଟ । ନିକଟରେ ମୁଖ୍ୟମନ୍ତ୍ରୀ ଏକାମ୍ର ଯୋଜନାର ସମୀକ୍ଷା କରିବା ସହ ଲିଙ୍ଗରାଜ ମନ୍ଦିର ଚାରିପାଖ ଅଞ୍ଚଳ ବୁଲି ଉନ୍ନତିକରଣ କାର୍ଯ୍ୟର ତଦାରଖ କରିଥିଲେ । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ମନ୍ଦିର ସେବାୟତମାନଙ୍କ ସହ କଥା ହୋଇଥିଲେ । ଲିଙ୍ଗରାଜ ମନ୍ଦିର ଆଇନ ପାଇଁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଦାବିକୁ ପୂରଣ କରିବାକୁ କଥା ଦେଇଥିଲେ । ତେଣୁ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ଆଇନକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । ସେହିପରି କୃଷୀକୁ ନେଇ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି ।