ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ୩୦୪ରେ ଅଲଆଉଟ୍, ଭାରତକୁ ୨୦୯ ରନର ବିଜୟ ଲକ୍ଷ୍ୟ

ନର୍ଟିଂହାମ,୭/୮: ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଭାରତ ସମ୍ମୁଖରେ ୨୦୯ ରନର ବିଜୟ ଲକ୍ଷ୍ୟ ରହିଛି। ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୩୦୪ ରନରେ ଅଲଆଉଟ୍ ହେବା ପରେ ପ୍ରଥମ ଇନିଂସରେ ୯୫ ରନର ଅଗ୍ରଣୀ ଭିତ୍ତିରେ ଭାରତକୁ ୨୦୯ ରନର ବିଜୟ ଲକ୍ଷ୍ୟ ମିଳିଛି। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ପକ୍ଷରୁ ଅଧିନାୟକ ରୁଟ୍ ସର୍ବାଧିକ ୧୦୯ ରନ କରିଛନ୍ତି। ସାମ କରନ ୩୨ ଓ ଜୋନି ବେୟାରଷ୍ଟୋ ୩୦ ରନ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ ଓ୍ଵିକେଟ୍ ନେଇଛନ୍ତି।

ତୃତୀୟ ଦିନର ୨୫ ରନ ଅସମାପ୍ତ ଖେଳରୁ ଇଂଲଣ୍ଡ ଚତୁର୍ଥ ଦିନର ବ୍ୟାଟିଂ ଆରମ୍ଭ କରିଥିଲା। ୧୨ ରନ ଯୋଡିବା ପରେ ଇଂଲଣ୍ଡ ୩୭ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ରରି ବର୍ଣ୍ଣ୍ସ(୧୮)ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଜ୍ୟାକ୍ କ୍ରାଉଲି(୬)ଙ୍କୁ ବୁମରା ଆଉଟ୍ କରିଥିଲେ। ଏହା ପରେ ଅଧିନାୟକ ଜୋ ରୁଟ୍ ଓ ଡୋମିନିକ୍ ସିବଲି ଇନିଂସ ସମ୍ଭାଳିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍‌ରେ ୮୯ ରନ ଯୋଡିଥିଲେ। ଡି ସିବଲି(୨୮)ଙ୍କୁ ପାଭିଲିୟନ ଫେରି ବୁମରା ଏହି ଯୋଡି ଭାଙ୍ଗି ଦଳକୁ ତୃତୀୟ ବଡ ସଫଳତା ଦେଇଥିଲେ। ଏହା ପରେ ଜୋନି ବେୟାରଷ୍ଟୋ ୩୦ ରନର ଉପଯୋଗୀ ଇନିଂସ ଖେଳି ସିରାଜଙ୍କ ଶିକାର ହୋଇଥିଲେ। ଅନ୍ୟପଟେ ଜୋ ରୁଟ୍ କ୍ରିଜରେ ଜମି ରହି ଅଧିନାୟକ ଇନିଂସ ଖେଳିଥିଲେ।

ଭାରତ ପକ୍ଷରୁ ବୁମରା ୬୪ ରନରେ ୫ ଓ୍ଵିକେଟ୍ ହାସଲ କରିଥିଲେ। ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ପ୍ରତ୍ୟେକଙ୍କୁ ଦୁଇଟି ସଫଳତା ମିଳିଥିବା ବେଳେ ଶାମିଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା। ଏହା ପୂର୍ବରୁ ଇଂଲଣ୍ଡର ପ୍ରଥମ ଇନିଂସ ୧୮୨ ରନ ଜବାବରେ ଭାରତ ଦ୍ଵିତୀୟ ଇନିଂସରେ ୨୭୮ ରନରେ ଅଲଆଉଟ୍ ହୋଇଥିଲା। ଏଥିସହ ଭାରତ ୯୫ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା।