ଭାରତର ପରାଜୟ, ଶେଷ ଟେଷ୍ଟ ଜିତି ସିରିଜ୍ ବରାବର କଲା ଇଂଲଣ୍ଡ

0

ଏଜବାଷ୍ଟନ,୫/୭ : ଏଜବାଷ୍ଟନ ଟେଷ୍ଟରେ ଭାରତର ପରାଜୟ। ୧୫ ବର୍ଷ ପରେ ସିିରିଜ ଜିତିବାର ସ୍ଵପ୍ନ ଧୂଳିସାତ। ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ୭ ଓ୍ଵିକେଟରେ ହାରିଲା ଭାରତ। ପ୍ରଥମ ଇନିଂସରେ ୧୩୨ ରନ ଅଗ୍ରଣୀ ଥାଇ ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଇଥିବା ଟେଷ୍ଟରେ ଭାରତ ପରାଜୟ ଭୋଗିଛି। ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଡ୍ର ଭାବେ ଶେଷ ହୋଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୩୭୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଜୋ ରୁଟ୍ ଏବଂ ଜୋନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ବଳରେ ୩ ଓ୍ଵିକେଟ୍ ହରାଇ ବିଜୟୀ ହୋଇଛି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ଚତୁର୍ଥ ଓ୍ଵିକେଟରେ ୨୬୯ ରନ ଯୋଡି ଇଂଲଣ୍ଡକୁ ସିରିଜ ପରାଜୟରୁ ବଞ୍ଚାଇବା ସହ ସ୍ମରଣୀୟ ବିଜୟ ଦେଇଛନ୍ତି। ଜୋ ରୁଟ୍ ୧୪୨ ଏବଂ ବେୟାରଷ୍ଟୋ ୧୧୪ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଛନ୍ତି। ଭାରତ ପ୍ରଥମ ଇନିଂସରେ ୪୧୬ ରନ କରିଥିଲା। ଜବାବରେ ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ ଭାରତ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୪୫ ରନରେ ଅଲଆଉଟ୍ ହୋଇଥିଲା। ଉଲ୍ଲେଖନୀୟ ସିରିଜରେ ଭାରତ ୨-୧ରେ ଆଗୁଆ ଥିଲା। କରୋନ କାରଣରୁ ଗତ ବର୍ଷ ଖେଳା ଯାଇଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳା ଯାଇ ପାରିନଥିଲା।

ଚତୁର୍ଥ ଦିନର ଅସମାପ୍ତ ଖେଳ ୨୫୯/୩ରୁ ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ଜୋ ରୁଟ୍ ୭୬ ଏବଂ ଜୋନି ବେୟାରଷ୍ଟୋ ୭୨ ରନ କରି ଅପରାଜିତ ଥିଲେ। ପଞ୍ଚମ ଦିନ ଖେଳ ଆରମ୍ଭରୁ ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ପ୍ରଥମେ ଜୋ ରୁଟ୍ ଶତକ ହାସଲ କରିଥିଲେ। ଟେଷ୍ଟ କ୍ୟାରିୟରରେ ଏହା ତାଙ୍କର ୨୮ତମ ଟେଷ୍ଟ ଶତକ। ପରେ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ଥିବା ବେୟାରଷ୍ଟେ ଟେଷ୍ଟ କ୍ୟାରିୟରରେ ୧୨ତମ ଶତକ ହାସଲ କରିଥିଲେ। ରୁଟ୍ ଏବଂ ବେୟାରଷ୍ଟୋ ଅବିଭାଜିତ ଚତୁର୍ଥ ଓ୍ଵିକେଟରେ ୨୬୯ ରନ ଯୋଡି ଇଂଲଣ୍ଡକୁ ୭ ଓ୍ଵିକେଟରେ ଜିତାଇଛନ୍ତି। ରୁଟ ୧୪୨ ଏବଂ ବେୟାରଷ୍ଟୋ ୧୧୪ ରନ କରି ଅପରାଜିତ ଥିଲେ।

ପ୍ରଥମ ଟେଷ୍ଟ- ନର୍ଟିଂହାମ, ଡ୍ର

ଦ୍ଵିତୀୟ ଟେଷ୍ଟ- ଲର୍ଡ୍ସ, ଭାରତ ୧୫୧ ରନରେ ବିଜୟୀ

ତୃତୀୟ ଟେଷ୍ଟ- ଲିଡ୍ସ, ଇଂଲଣ୍ଡ ଇନିଂସ ଏବଂ ୭୬ ରନରେ ବିଜୟୀ

ଚତୁର୍ଥ ଟେଷ୍ଟ- ଦ ଓଭାଲ, ଭାରତ ୧୫୭ ରନରେ ବିଜୟୀ

ପଞ୍ଚମ ଟେଷ୍ଟ- ଏଜବାଷ୍ଟନ, ଇଂଲଣ୍ଡ ୭ ଓ୍ଵିକେଟରେ ବିଜୟୀ

Leave A Reply

Your email address will not be published.