EPFO 3.0  ରେ ନୂଆ ବ୍ୟବସ୍ଥା ଲାଗୁ, ଜାଣନ୍ତୁ କଣ ମିଳିବ ବଡ଼ ଫାଇଦା

ନୂଆଦିଲ୍ଲୀ, ୨୧/୦୩ : ସରକାର ସଂସଦରେ EPFO 3.0 କୁ ନେଇ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍, ଦ୍ରୁତ ଏବଂ ସହଜ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି ଯେ, EPFO 3.0 ର ମୂଳ ଉଦ୍ଦେଶ୍ୟ ହେଉଛି କାଗଜପତ୍ର କାମ ହ୍ରାସ କରିବା, କ୍ଲେମ୍ (Claim) ର ଶୀଘ୍ର ସମାଧାନ କରିବା ଏବଂ ସମସ୍ତ ସେବାକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବା, ଯାହାଦ୍ୱାରା ସାଧାରଣ କର୍ମଚାରୀଙ୍କୁ ବାରମ୍ବାର ଅଫିସ ଚକ୍କର କାଟିବାକୁ ପଡ଼ିବ ନାହିଁ। EPFO 3.0 ଅଧୀନରେ କେନ୍ଦ୍ରୀକୃତ ପେନସନ ପେମେଣ୍ଟ ସିଷ୍ଟମ (CPPS) ଲାଗୁ କରାଯାଇଛି, ଯାହା ୧ ଜାନୁଆରୀ ୨୦୨୫ ରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇସାରିଛି। ଏହି ନୂଆ ବ୍ୟବସ୍ଥା ଅନୁଯାୟୀ, ଏବେ ପେନସନ ପ୍ରଦାନ ଏକ କେନ୍ଦ୍ରୀକୃତ ସିଷ୍ଟମ ଜରିଆରେ କରାଯାଉଛି। ଏହାଦ୍ୱାରା ପେନସନଭୋଗୀମାନେ ଦେଶର ଯେକୌଣସି ସିଡ୍ୟୁଲ୍ ବ୍ୟାଙ୍କର ଶାଖାରୁ ସହଜରେ ନିଜ ପେନସନ ପାଇପାରିବେ। ଏହି ପରିବର୍ତ୍ତନର ସିଧାସଳଖ ଫାଇଦା ପ୍ରତିମାସରେ ପ୍ରାୟ ୭୦ ଲକ୍ଷ ପେନସନଭୋଗୀଙ୍କୁ ମିଳୁଛି। ସରକାରଙ୍କ କହିବା ଅନୁଯାୟୀ, ଏହାଦ୍ୱାରା ପେନସନ ମିଳିବାରେ ହେଉଥିବା ବିଳମ୍ବ ଏବଂ ବୈଷୟିକ ତ୍ରୁଟି ଅନେକାଂଶରେ କମିଯାଇଛି।

EPF ସଦସ୍ୟମାନଙ୍କ ପାଇଁ ଅଟୋ-ସେଟଲମେଣ୍ଟର ସୀମା ବୃଦ୍ଧି କରାଯିବା ଏକ ବଡ଼ ଆଶ୍ୱସ୍ତି ଭାବେ ସାମ୍ନାକୁ ଆସିଛି। ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ଥିଲା, ଯାହାକୁ ଏବେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୩.୫୨ କୋଟିରୁ ଅଧିକ କ୍ଲେମ୍ ସ୍ୱୟଂଚାଳିତ ଭାବେ ସମାଧାନ କରାଯାଇ ସାରିଛି। ପ୍ରାୟ ୭୧.୩୭ ପ୍ରତିଶତ ଆଡଭାନ୍ସ କ୍ଲେମ୍ ଅଟୋ ମୋଡ୍‌ରେ ପ୍ରୋସେସ୍ ହୋଇଛି ଏବଂ ମୋଟ ୫୧,୬୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା କ୍ଲେମ୍ ସମାଧାନ ପ୍ରକ୍ରିୟା ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଏବଂ ସରଳ ହୋଇଛି।ନୂଆ ବ୍ୟବସ୍ଥା ଅନୁଯାୟୀ, ଚାକିରି ବଦଳାଉଥିବା କର୍ମଚାରୀଙ୍କୁ ଏବେ PF ଟ୍ରାନ୍ସଫର ପାଇଁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ୧୯ ଜାନୁଆରୀ ୨୦୨୫ ରୁ ଲାଗୁ ହୋଇଥିବା ଏହି ନୂଆ ପ୍ରକ୍ରିୟାରେ ଅଧିକାଂଶ କ୍ଷେତ୍ରରେ ମାନୁଆଲ୍ କ୍ଲେମ୍‌ର ଆବଶ୍ୟକତା ଶେଷ କରିଦିଆଯାଇଛି। ଯେଉଁ ଆକାଉଣ୍ଟଗୁଡ଼ିକର KYC ସମ୍ପୂର୍ଣ୍ଣ ଅଛି, ସେଥିରେ ନିଯୁକ୍ତିଦାତା (Employer) ଙ୍କ ଅନୁମୋଦନର ଅନିବାର୍ଯ୍ୟତାକୁ ମଧ୍ୟ ହଟାଇ ଦିଆଯାଇଛି। ଅନେକ କ୍ଷେତ୍ରରେ PF ଟ୍ରାନ୍ସଫର ଆପେ ଆପେ ହୋଇଯାଉଛି। ସରକାରଙ୍କ ଅନୁଯାୟୀ, ୭୦.୫ ଲକ୍ଷରୁ ଅଧିକ ଟ୍ରାନ୍ସଫର କ୍ଲେମ୍ ଅଟୋମେଟିକ୍ ଭାବେ ଆରମ୍ଭ ହୋଇଛି ଏବଂ ୨୧.୩୯ ଲକ୍ଷରୁ ଅଧିକ ଟ୍ରାନ୍ସଫର ବିନା ନିଯୁକ୍ତିଦାତାଙ୍କ ହସ୍ତକ୍ଷେପରେ ସମ୍ପୂର୍ଣ୍ଣ ହୋଇଛି। କର୍ମଚାରୀ ପେନସନ ଯୋଜନା (EPS) ଅଧୀନରେ ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଏଥିରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଏବେ ମଧ୍ୟ ସର୍ବନିମ୍ନ ପେନସନ ମାସିକ ୧,୦୦୦ ଟଙ୍କା ରହିଛି। ଏହି ପେନସନରେ ନିଯୁକ୍ତିଦାତାଙ୍କ ପକ୍ଷରୁ ୮.୩୩ ପ୍ରତିଶତ ଏବଂ ସରକାରଙ୍କ ପକ୍ଷରୁ ୧.୧୬ ପ୍ରତିଶତ ଅବଦାନ ଦିଆଯାଇଥାଏ। ସରକାର କହିଛନ୍ତି ଯେ ସାମାଜିକ ସୁରକ୍ଷାକୁ ମଜବୁତ କରିବା ପାଇଁ ସେମାନେ ପ୍ରତିବଦ୍ଧ, କିନ୍ତୁ ଏଥିସହ ପାଣ୍ଠିର ସ୍ଥିରତା ଏବଂ ଭବିଷ୍ୟତର ଆର୍ଥିକ ଦାୟିତ୍ୱକୁ ଧ୍ୟାନରେ ରଖିବା ମଧ୍ୟ ଜରୁରୀ।