ନୂଆଦିଲ୍ଲୀ,: ଭାରତର ସବୁ ମହିଳା ବିବାହିତ ହୁଅନ୍ତୁ ବା ଅବିବାହିତ ସମସ୍ତଙ୍କ ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି । ଗୁରୁବାର ସୁପ୍ରିମ୍କୋର୍ଟ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିବା ସହ ଏମଟିପି ଆଇନ୍ ଓ ଏହା ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରି ଏପରି ରାୟ ପ୍ରଦାନ କରିଛନ୍ତି । ଅର୍ଥାତ୍ ସର୍ବୋଚ୍ଚ ଅଦାଲତ ଅବିବାହିତଙ୍କୁ ଗର୍ଭପାତ କରାଇବାର ଅଧିକାର ପ୍ରଦାନ କରିଛନ୍ତି । ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଅବିବାହିତ ମହିଳାଙ୍କୁ ଇଚ୍ଛା ବିରୁଦ୍ଧ ଗର୍ଭର ଶୀକାର ହେବା ବା ସେମାନଙ୍କୁ ମାନସିକ ନିର୍ଯାତନା ଦେବା ମେଡିକାଲ୍ ଟର୍ମିନେସନ ଅଫ୍ ପ୍ରେଗନାନ୍ସି ଅଧିନିୟମର ଉଦ୍ଦେଶ୍ୟ ଓ ଭାବନାର ବିରୁଦ୍ଧାଚରଣ ହେବ ।
ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ୨୦୨୧ର ସଂଶୋଧନ ପରେ ଏମ୍ଟିପି ଆଇନର ଧାରା (୩)ରେ ପ୍ରତିବଦଳରେ ପାଟର୍ନର ଶବ୍ଦର ବ୍ୟବହାର କରାଯାଇଛି ଯାହାକି ଏହି ଅଧିନିୟମରେ ଅବିବାହିତ ମହିଳାଙ୍କୁ ସାମିଲ କରିବା ନେଇ ଆଇନ୍ର ଉଦ୍ଦେଶ୍ୟକୁ ଦର୍ଶାଉଛି । ଏହାସହିତ ନ୍ୟାୟାଳୟ ଏମ୍ସ ନିର୍ଦ୍ଦେଶକଙ୍କୁ ଏକ ମେଡିକାଲ୍ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୋର୍ଡ ମହିଳାଙ୍କ ଉପରେ ଗର୍ଭପାତର ପ୍ରଭାବ ବାବଦରେ ତର୍ଜମା କରିବ । ଗର୍ଭପାତ ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡୁଛି କି ନାହିଁ ତାହା ମଧ୍ୟ ବୋର୍ଡ ଦେଖିବ ବୋଲି ଖଣ୍ଡପୀଠ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଜନୈକ ମହିଳା ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି (ଏମ୍ଟିପି)ର ନିୟମ ୩କୁ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ । ଏହି ଧାରା କିଛି ବର୍ଗର ମହିଳାଙ୍କୁ ୨୦ରୁ ୨୪ ସପ୍ତାହର ଗର୍ଭକୁ ସମାପ୍ତ କରିବାର ଅଧିକାର ଦେଇଥାଏ । ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଆବେଦନକାରୀ କେବଳ ଅବିବାହିତା ବୋଲି ତାଙ୍କୁ ଏହି ଲାଭରୁ ବାଦ୍ ଦିଆଯାଇପାରିବ ନାହିଁ । ଏହି ରାୟ ମହିଳାଙ୍କୁ ସେମାନଙ୍କ ହକ୍ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।