ଲକ୍ଷ୍ନୌ, ୨୭/୮: ସରକାର ଜୋର ଜବରଦସ୍ତ ଚାକିରୀରୁ ଅବସର କରାଇଥିବା ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ପୋଲିସ ଆଜି ଗିରଫ କରିଛି। ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମଦାହ କରିଥିବା ଦୁଷ୍କର୍ମ ପୀଡ଼ିତା ଓ ମାମଲାର ସାକ୍ଷୀଙ୍କ ମୃତ୍ୟୁରେ ଏସଆଇଟିଙ୍କ ରିପୋର୍ଟ ଆଧାରରେ ପୋଲିସ ଏହି ପଦକ୍ଷେପ ନେଇଥିବା ବେଳେ ଲକ୍ଷ୍ମୌସ୍ଥିତ ବାସଭବନରୁ ଗିରଫ କରି ହଜରତଗଞ୍ଜ ଥାନାକୁ ନେଇ ଯାଇଛି। ଦୁଷ୍କର୍ମ ପୀଡ଼ିତାଙ୍କୁ ଆତ୍ମଦାହ ଲାଗି ଉସକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ ବହୁଜନ ସମାଜପାର୍ଟି (ବସପା) ସାସଂଦ ଅତୁଲ ରାୟଙ୍କ ଦ୍ୱାରା ଦୁଷ୍କର୍ମରେ ଶିକାର ମହିଳା ଓ ତାଙ୍କ ସାଥୀ ଗତ ଅଗଷ୍ଟ ୧୬ ତାରିଖ ଦିନ ନ୍ୟାୟ ଲାଗି ସୁପ୍ରିମକୋର୍ଟ ସମ୍ମୁଖରେ ବିକ୍ଷୋଭ କରୁଥିଲେ। ପ୍ରଦର୍ଶନ କାଳରେ ସେମାନେ ଫେସବୁକ୍ ଲାଇଭ କରି ଆତ୍ମଦାହ ଉଦ୍ୟମ କରିଥିଲେ। ଏଥିରେ ମହିଳାଙ୍କ ଶରୀରର ୮୫ ପ୍ରତିଶତ ଜଳି ଯାଇଥିବା ବେଳେ ତାଙ୍କ ସାଥୀ ପୋଡି ହୋଇ ଗୁରୁତର ଆହତ ହୋଇଥିଲେ। ଉଭୟ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲରେ ସେମାନଙ୍କର ମୃତ୍ୟୁ ହୋଇଛି।
ଫେସବୁକ୍ ଲାଇଭରେ ସେମାନେ ଦୁର୍ଦ୍ଦଶା ଲାଗି ତତ୍କାଳୀନ ବାରଣାସୀ ଏସଏସପି ଅମିତାଭ ଠାକୁର, ତତ୍କାଳୀନ ସିଓ ଭି.ଅମରେଶ ସିଂ ବଘେଲ ଓ କନଷ୍ଟେବଲ ସଞ୍ଜୟ ରାୟଙ୍କ ସମେତ ଅନ୍ୟମାନଙ୍କୁ ଦାୟି କରିଥିଲେ। ଏମାନେ ଅଭିଯୋଗରୁ ସାଂସଦଙ୍କୁ ସୁରକ୍ଷା ଦେବା ଲାଗି ଲାଗି ଯାବତୀୟ ସମସ୍ୟା ସୃଷ୍ଟି କରିଥିବାର ମହିଳା ଅଭିଯୋଗ କରିଥିଲେ। ମାମଲାରେ ଲକ୍ଷ୍ନୌ ପୋଲିସ ଅମିତାଭ ଠାକୁରଙ୍କୁ ଗିରଫ କରିଛି। ପୀଡିତାଙ୍କୁ ଆତ୍ମଦାହ ଲାଗି ଉସକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।