କରୋନା ଆକ୍ରାନ୍ତ ହେଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ

ଝାରସୁଗୁଡ଼ା, ୨୬/୮ : ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନୁପ ବର୍ତ୍ତମାନ ମର୍ଡର ଅଭିଯୋଗରେ ଛତିଶଗଡ଼ର ରାୟଗଡ଼ ଜେଲରେ ଅଛନ୍ତି। ଏନେଇ ରାୟଗଡ଼ ଜେଲର ସୂଚନା ଦେଇଛନ୍ତି। ଅନୁପଙ୍କ ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ, ଶ୍ରୀ ସାଏ ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏ ସଂକ୍ରାନ୍ତରେ ଜେଲ ଅଧୀକ୍ଷକଙ୍କୁ ଜଣାଇବା ପରେ ତାଙ୍କୁ ରାୟଗଡ଼ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ହୃଦରୋଗ ବିଶେଷଜ୍ଞ ନ ଥିବାରୁ ରାୟଗଡ଼ର ଜିନ୍ଦଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବହୁ ଚର୍ଚ୍ଚିତ ମା-ଝିଅ ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ରାୟଗଡ ଜେଲରେ ୭ ମାସରୁ ଉର୍ଦ୍ଧ୍ୱ ସମୟରୁ ଜେଲରେ ଅଛନ୍ତି ଅନୁପ ସାଏ।

ଉଲ୍ଲେଖ ଯୋଗ୍ୟ, ଗତ ଫେବ୍ରୁଆରୀ ୧୨ ତାରିଖ ରାତିରେ ଅନୁପ ସାଏଙ୍କୁ ତାଙ୍କ ବଗରାଚକା ବାସଭାବନରୁ ରାୟଗଡ ଜିଲା ଚକ୍ରଧରନଗର ଥାନା ପୁଲିସ ଉଠାଇ ନେଇଥିଲେ। କଳ୍ପନା ଦାଶ ଓ ଝିଅ ବବଲି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ଜାଣିବା ପରେ ପୁଲିସ ପ୍ରାୟ ୩ ବର୍ଷ ପରେ ଅନୁପଙ୍କ ନିକଟରେ ପହଞ୍ଚି ଥିଲା। ଏହି ମାମଲାରେ ଅନୁପଙ୍କ ସହ ତାଙ୍କ ଡ୍ରାଇଭର ମଧ୍ୟ ଜେଲରେ ଅଛି। କଳ୍ପନା ଦାଶ ଓ ଝିଅ ବବଲିକୁ ହତ୍ୟା କରି ଗାଡି ଚଢାଇ ରାୟଗଡ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଦେଇ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ ଅନୁପ ଓ ସହଯୋଗୀ ବୋଲି ରାୟଗଡ ପୁଲିସ କହିଥିଲା।