ଭୁବନେଶ୍ୱର,୧୫/୨: ପୂର୍ବତନ ବିଜେଡି ସାଂସଦ ଦିଂବଗତ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡଃ ସିକ୍ତା ପତି ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ଗତ ୨୦୧୯ ଡିସେମ୍ବର ମାସରେ ବିଜେଡିରେ ସାମିଲ ହୋଇଥିଲେ । ଗତ ସପ୍ତାହରେ ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ସାମିଲ ହେବା ପରେ ଆଜି ସିକ୍ତାଙ୍କ ଓ ଅନ୍ୟମାନେ ଯୋଗ ଦେବା କଂଗ୍ରେସ ପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ସମ୍ଭାବନା ସୃଷ୍ଟି କରିଛି ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଓଡ଼ିଶା ପିସିସି ପ୍ରଭାରୀ ଡଃ ଏ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟମାନଙ୍କ ଉପସ୍ଥିତିରେ ପ୍ୟାରୀଙ୍କ ଝିଅ ସିକ୍ତା ପତି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପ୍ରବୀର କୁମାର ପ୍ରଧାନ, ଅବସରପ୍ରାପ୍ତ ରେଳସେବା ଅଧିକାରୀ ହେମନ୍ତ କୁମାର ଦତ୍ତ ଓ ରାଧାକାନ୍ତ ନାୟକ ମଧ୍ୟ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ସମସ୍ତ ବ୍ୟକ୍ତିଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଚେଲ୍ଲାକୁମାର ଓ ଶରତ ପଟ୍ଟନାୟକ ବିଧିବଦ୍ଧ ଭାବେ କଂଗ୍ରେସରେ ସ୍ୱାଗତ କରିଥିଲେ ।
