ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ, ୩୧/୮: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ପରଲୋକ ହୋଇ ଯାଇଛି । ଆଜି ସନ୍ଧ୍ୟାରେ ୮୪ ବର୍ଷ ବୟସରେ ପ୍ରଣବ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ମସ୍ତିଷ୍କ ସର୍ଜରୀ ପରେ ଅନେକ ଦିନ ଧରି ତାଙ୍କର ଚିକିତ୍ସା ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଜାରି ରହିଥିଲା। ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ଵିଟ୍ କରି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ଘଟିଥିବା କହିଛନ୍ତି।

ସେନା ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ୮୪ ବର୍ଷୀୟ ମୁଖାର୍ଜୀଙ୍କ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ସେ ଗଭୀର କୋମା ଏବଂ ଭେଣ୍ଟିଲେଟରରେ ଥିଲେ। ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଗଷ୍ଟ ୧୦ରେ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମସ୍ତିଷ୍କ ସର୍ଜରୀ କରାଯାଇଥିଲା। ପରେ ତାଙ୍କର ଫୁସ୍‌ଫୁସ୍‌ରେ ମଧ୍ୟ ସଂକ୍ରମଣ ହୋଇଥିଲା।

ପ୍ରଣବ ମୁଖାର୍ଜୀ ୧୯୩୫ ଡ଼ିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୯ରେ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବା ପରେ ୨୦୧୨ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ । ୨୦୧୨ ମସିହାରେ ଦେଶର ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ପରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିଲେ ।