କଟକ ଡିସିପିଙ୍କ ଉଦାରତା

କଟକ: କଟକ ସିଡିଏ ସେକ୍ଟର ୧୩ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ଶିଶୁପୁତ୍ରକୁ କୋଳେଇ ନେଇଛନ୍ତି କଟକ ଡିସିପି ପ୍ରତୀକ ଗୀତା ସିଂ। ଏହା ସହ ତାର ଭଲମନ୍ଦ ସମ୍ପର୍କରେ ବସୁନ୍ଧରା କର୍ମଚାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଡିସିପି। ଗତ ଜୁଲାଇ ୧ ତାରିଖ ସନ୍ଧ୍ୟାରେ କଟକ ସିଡିଏ ପମ୍ପ ହାଉସ ନିକଟ ଗଦାରେ ନବଜାତ ଶିଶୁକୁ କେହି ପେପର ରେ ଗୁଡେଇ ବ୍ୟାଗ ଭିତରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା ।

ଏହା ଦେଖି ସ୍ଥାନୀୟ ଯୁବକ ମାନେ ୧୦୯୮ ଚାଇଲଡ଼ ଲାଇନ ଓ ସିଡିଏ ଫ୍ରେଜ ୨ ଥାନାକୁ ଖବର କରିବା ସହ ନବଜାତ ଶିଶୁଟିକୁ ଉଦ୍ଧାର କରି ଶିଶୁଭବନକୁ ଆଣିଥିଲେ। ଏହାପରେ ଶିଶୁଟିକୁ ଜୁଲାଇ ୧୬ ତାରିଖରେ ଡ଼ିସଚାର୍ଜ କରାଯାଇ ବସୁନ୍ଧରାରେ ରଖାଯାଇଛି। ପୋଲିସର ତତ୍ତ୍ୱାବଧାନରେ ପିଲାଟିର ଚିକିତ୍ସା କରାଯାଇଥିବା ବେଳେ କଟକ ଡିସିପି ନିଜେ ବସୁନ୍ଧରା ଯାଇ ଶିଶୁଟିକୁ କୋଳାଇବା ସହ ନିଜ ପିଲା ଭଳି ସ୍ନେହ କରିଥିଲେ। ଏହା ସହ ଶିଶୁ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ ଡିସିପି ପ୍ରତୀକ ଗୀତା ସିଂ ।