୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ

ଭୁବନେଶ୍ୱର, ୨୫/୦୨ : ଦେବଗଡ ଜିଲ୍ଲାରେ ପ୍ରାୟ ୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ। ରିଆମାଳ ଥାନା କାଦୋପଡା ଗାଁର ବାଉଁଶଯୋରା ନାଳ କଡରେ ବେଆଇନ ଅଫିମ ଚାଷ ହୋଇଥିଲା। ପ୍ରାୟ ୨ ଏକର ସରକାରୀ ଜମିର ୫ଟି ପ୍ଲଟରେ ଅଫିମ ଚାଷ କରାଯାଇଥିବା ଅବକାରୀ ବିଭାଗ ସୂଚନା ପାଇ ଆଜି ଚଢଉ କରିଥିଲା। ପ୍ରାୟ ୫୦ ହଜାରରୁ ଅଧିକ ଅଫିମ ଗଛ ଲାଗିଥିବାବେଳେ ପୂର୍ବରୁ ଅନେକ ଥର ଅମଳ ହୋଇ ସାରିଥିବା ଜଣାପଡିଛି। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ତଥା ରିଆମାଳ ଅତିରିକ୍ତ ତହସିଲଦାର ପ୍ରେମ ପ୍ରକାଶ ହରୋଙ୍କ ଉପସ୍ଥିତିରେ ସମସ୍ତ ଅଫିମ ଗଛ ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ ବୋଲି ଦେବଗଡ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି।ସମସ୍ତ ଅଫିମ ଗଛ ନଷ୍ଟ କରିବା ସହିତ ସେଥିରେ ନିଆଁ ଲଗାଇ ପୋଡି ଦିଆଯାଇଛି।ଜଙ୍ଗଲ ଭିତରେ ଚାଷ ହୋଇଥିବାରୁ ଜଣା ପଡିନଥିଲା। ଆଜି ସୂଚନା ପାଇବା ପରେ ଅବକାରୀ ଅଧିକ୍ଷିକା ବାସନ୍ତୀ ପ୍ରଭା ନାୟକଙ୍କ ନେତୃତ୍ୱରେ ଚଢଉ କରାଯାଇଥିଲା।ସରକାରୀ ଜମି ହୋଇଥିବା ବେଳେ ଏହା ପଛରେ କେଉଁ ମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ କରାଯାଉଛି।