ନାଲକୋ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଉନ୍ମୁକ୍ତ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୨୭ /୧ : ଅନୁଗୁଳ ଜିଲ୍ଲାର ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ପ୍ଲାଣ୍ଟ ସମ୍ପ୍ରସାରଣର ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି ବୋଲି ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ବନ୍ଧରେ ଲେଖିଥିବା ପତ୍ରର ଉତ୍ତରରେ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏହାଦ୍ୱାରା ଅନୁଗୁଳ ନାଲକୋ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ପୁଞ୍ଜି ନିବେଶର ଦ୍ୱାର ଉନ୍ମୁକ୍ତ ଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।

ଗତ ଜାନୁଆରୀ ୪ରେ ଅନୁଗୁଳ ନାଲକୋ ଆଲୁମିନିୟମ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍‍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶ୍ରୀ ପ୍ରଧାନ ପତ୍ର ଲେଖିଥିଲେ। ଏହାର ପ୍ରତିଉତ୍ତରରେ ଶ୍ରୀ ଯୋଶୀ ପତ୍ର ଲେଖି ନାଲକୋର ଏହି ପ୍ରକଳ୍ପ ଭାରତ ସରକାରଙ୍କ ପ୍ରାଥମିକତାରେ ରହିଛି ଏବଂ ଏହି ପ୍ରକଳ୍ପ କମ୍ପାନୀର କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପରେ ପରିସରଭୃକ୍ତ ରହିଛି ବୋଲି କହିଛନ୍ତି।

ସେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରକଳ୍ପର ଡିଟେଲ୍ସ ପ୍ରଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତକୁ ସାକାର କରିବା ପାଇଁ ଏହି ସବୁ ପ୍ରକଳ୍ପକୁ କାର୍ଯ୍ୟ କରିବା ଦିଗରେ ଖଣି ଓ କୋଇଲା ମନ୍ତ୍ରଣାଳୟ ସବୁ ପଦକ୍ଷେପ ନେଉଅଛି। ଏହି ସମ୍ପ୍ରସାରଣ ପ୍ରକଳ୍ପ ଦେଶ ଏବଂ ରାଜ୍ୟର ବିକାଶରେ ସହାୟକ ହେବ।